fbpx

(Video) କ୍ୟାନସର ସନ୍ଦେହରେ ଘରୁ ତଡ଼ିଦେଲେ: ଜୀବନ ହାରିଲେ ନବବଧୂ

ଭୁବନେଶ୍ୱର( ଓଡ଼ିଶା ଭାସ୍କର): ନବବଧୂକୁ କ୍ୟାନସର ହୋଇଥିବା ବାହାନାରେ ଘରୁ ତଡ଼ିଦେଲେ ଶାଶୂଘର ଲୋକେ । ଭୟରେ ବାପଘରକୁ ପଳାଇ ଆସିଥିଲେ ନବବଧୂ । ହେଲେ ଆଉ ନେବାର ନାଁ ଧରିଲେନି ଶାଶୂଘର ଲୋକେ । ଶେଷରେ ମାନସିକ ଅଶାନ୍ତିରେ ବେକରେ ରଶୀ ଲଗାଇ ଝୁଲିପଡ଼ିଲେ ନବବଧୂ । ଏଭଳି ଏକ ଅଭାବନୀୟ ଘଟଣା ଭୁବନେଶ୍ୱର ଜିଜିପି କଲୋନୀରେ ଘଟିଛି । ବାପଘର ଲୋକଙ୍କ ଏତଲା ପରେ ମଞ୍ଚେଶ୍ୱର ଥାନା ପୋଲିସ ଆରମ୍ଭ କରିଛି ତନାଘନା ।

ମିଳିଥିବା ସୂଚନାରୁ ପ୍ରକାଶ, କଟକ ଜିଲ୍ଲା ନିଆଳୀ ଥାନା ଲୁଣି ଗାଁର ପ୍ରଜ୍ଞା ପାରମିତା ସ୍ୱାଇଁ ଭୁବନେଶ୍ୱର ପଟିଆରେ ରହୁଥିବା ପ୍ରଶାନ୍ତ କୁମାର ପାତ୍ରଙ୍କୁ ଗତ ଜୁନ୍ ୮ ତାରିଖରେ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା । କିନ୍ତୁ ବିବାହର ମାତ୍ର ୧୨ ଦିନ ପରେ ପ୍ରଜ୍ଞାଙ୍କୁ କ୍ୟାନସର ହୋଇଥିବା ଦର୍ଶାଇ ଶାଶୂ ଓ ନଣନ୍ଦ ନିର୍ଯାତନା ଦେଇଥିଲେ । ଏହାଛଡ଼ା ବାପଘରକୁ ଫୋନ୍ କରି ଝିଅକୁ ନେଇଯିବା ପାଇଁ କହିଥିଲେ ।

ଜୁନ୍ ୨୦ରେ ପ୍ରଜ୍ଞାଙ୍କୁ ଶାଶୂଘରୁ ଜିଜିପି କଲୋନୀ ଭଡ଼ାଘରକୁ ନେଇଆସିଥିଲେ ଭାଇ । କିନ୍ତୁ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କ୍ୟାନସର ହୋଇନଥିଲା ବରଂ ଦାନ୍ତରେ କିଛି ସମସ୍ୟା ରହିଥିବା ଜଣାପଡ଼ିଥିଲା । ଏନେଇ ଅପରେସନ ମଧ୍ୟ କରାଯାଇଥିଲା । ପ୍ରଜ୍ଞା ସମ୍ପୂର୍ଣ୍ଣ ସୁସ୍ଥ ବି ହୋଇଥିଲେ । ହେଲେ ଶାଶୂଘର ଲୋକେ ପ୍ରଜ୍ଞାଙ୍କୁ ଆଉ ନେବେ ନାହିଁ ବୋଲି ମଧ୍ୟସ୍ଥିଙ୍କ ମାଧ୍ୟମରେ ଜଣାଇ ଦେଇଥିଲେ । ଏକଥା ପ୍ରଜ୍ଞା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ବେକରେ ରଶୀ ଲଗାଇ ଦେଇଥିଲେ ।

ପ୍ରଜ୍ଞାଙ୍କ ଭାଇ ଏନେଇ ମଞ୍ଚେଶ୍ୱର ଥାନରେ ଏତଲା ଦେଇଥିଲେ । ଏତଲାରେ ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରଜ୍ଞାଙ୍କୁ ସମ୍ ହସ୍ପିଟାଲ୍ ଦନ୍ତ ବିଭାଗରେ ଦେଖାଇଥିଲୁ । ତେବେ ଡାକ୍ତର ଦାନ୍ତକ୍ଷୟ ଘଟୁଛି ବୋଲି କହିବା ସହ ଛୋଟ ଅପରେସନ କରିଥିଲେ । ଏହାପରେ ଶାଶୂଘର ଲୋକେ ତାଙ୍କୁ ନେଉନଥିଲେ କିମ୍ବା ତାଙ୍କ ଫୋନ୍ ମଧ୍ୟ ଉଠାଉନଥିଲେ । ପୋଲିସ ପ୍ରଜ୍ଞାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ରସୁଲଗଡ଼ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

Get real time updates directly on you device, subscribe now.