ଚଳନ୍ତା ଟ୍ରେନରୁ ଖସି ପଡ଼ିଲା ନବ ବିବାହିତା ବଧୂ, କାନ୍ଧରେ ଧରି ହସ୍ପିଟାଲ ପହଞ୍ଚିଲା ସ୍ୱାମୀ, ହେଲେ…

ଏକ କିଲୋମିଟର ପଛକୁ ଫେରିବା ପରେ ଟ୍ରାକରୁ ମିଳିଲା ସ୍ତ୍ରୀଙ୍କ ମୃତଦେହ।

ମଧ୍ୟପ୍ରଦେଶ: ଚଳନ୍ତା ଟ୍ରେନରୁ ଖସି ପଡିଲେ ନବ ବିବାହିତା ବଧୂ। ସ୍ୱାମୀ ପାଖରେ ଥିଲେ ହେଲେ ସ୍ତ୍ରୀଙ୍କୁ ବଞ୍ଚାଇ ପାରିଲେନି। ସଙ୍ଗେ ସଙ୍ଗେ ଟ୍ରେନର ଚେନ ଟାଣି ତଳକୁ ଓହ୍ଲାଇ ଆସିଲେ। ଆଉ ଟ୍ରାକ ଉପରେ ସ୍ତ୍ରୀକୁ ଖୋଜିବାକୁ ଲାଗିଲେ।

ପାଖାପାଖି ଏକ କିଲୋମିଟର ପଛକୁ ଯିବା ପରେ ଶୂନସାନ ଟ୍ରାକ ଉପରେ ପଡି ରହିଥିଲେ ସ୍ତ୍ରୀ। ହେଲେ ଆଖ ପାଖରେ କିଛି ବି ଦୋକାନ ବଜାର ଦେଖାଯାଉନଥିଲା। ସ୍ତ୍ରୀକୁ କିପରି ହସ୍ପିଟାଲ ନେବେ ମୁଣ୍ଡ କିଛି କାମ କରୁନଥିଲା। ତେଣୁ ଶେଷରେ ନିଜ କାନ୍ଧରେ ବୋହି ବୋହି ସ୍ତ୍ରୀକୁ ହସ୍ପିଟାଲ ନେଲେ ସ୍ୱାମୀ। ହେଲେ ସେତେବେଳକୁ ସବୁ କିଛି ସରିଯାଇଥିଲା।

ହଁ ଘଟଣାଟି ହେଉଛି  ମଧ୍ୟପ୍ରଦେଶର ଶିବପୁରିର। ରେଳବାଇ ଟ୍ରାକ୍‌ ନିକଟରେ ଦୁର୍ଘଟଣାରେ ଜଣେ ନବ ବିବାହିତା ମହିଳାଙ୍କ ଜୀବନ ଚାଲିଯାଇଛି। ମହିଳା ଜଣକ ଟ୍ରେନ୍‌ରେ ବାନ୍ତି କରୁଥିବା ବେଳେ ତଳକୁ ଖସି ପଡ଼ିଥିଲେ।

ତାଙ୍କୁ ବଞ୍ଚାଇବାକୁ ତଳକୁ ଆସିଥିଲେ ସ୍ୱାମୀ। ଆଉ ସ୍ତ୍ରୀଙ୍କୁ କାନ୍ଧରେ ବୋହି ବୋହି ହସ୍ପିଟାଲ ଯାଏଁ ପହଞ୍ଚିଥିଲେ ସ୍ୱାମୀ। ହେଲେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୌହ୍ୱାଲିୟର୍‌ ନିବାସୀ ଓକିଲ ବିକାଶ ଜୋଶୀଙ୍କ ବିବାହ ୨୦୨୫ ମସିହା ଏପ୍ରିଲ୍‌ ୧୬ ତାରିଖରେ ହୋଇଥିଲା। ତାଙ୍କ ପତ୍ନୀ ଶିବାନୀ ଜଣେ ଏଲ୍‌ଏଲ୍‌ବି ଛାତ୍ରୀ ଥିଲେ। ସେ ପରୀକ୍ଷା ଦେବା ପାଇଁ ତାଙ୍କ ସ୍ୱାମୀଙ୍କ ସହ ଉରଇ ଯାଇଥିଲେ।

ପରୀକ୍ଷା ଦେବା ପରେ ୨୭ ତାରିଖ ଦିନ ପତି-ପତ୍ନୀ ମିଶି ଗ୍ୱାଲିୟର୍‌ ଫେରିଲେ ଓ ବୁଧବାର ସଂଧ୍ୟାରେ ଟ୍ରେନ୍‌ ଧରି ଇନ୍ଦୋର ପାଇଁ ବାହାରିଥଇଲେ। ବିକାଶ ସେଠାରେ ଓକିଲାତି କରନ୍ତି ଓ ସେଇଠାରେ ହିଁ ରହନ୍ତି। ମଙ୍ଗଳବାର ରାତି ୯ଟାରେ ଦୁହେଁ ଇନ୍ଦୋର ଯିବା ବାଟରେ ଏପରି ଘଟିଥିଲା।