fbpx

ନୀତି ଆୟୋଗ ରିପୋର୍ଟ: ଓଡ଼ିଶାରେ କମିଛି ଦାରିଦ୍ର୍ୟ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ୫ ବର୍ଷ ଶାସନ ଭିତରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମାରେଖାରୁ ବାହାରି ପାରିଛନ୍ତି । ସୋମବାର ନୀତି ଆୟୋଗ ଜାରି କରିଥିବା ଏକ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନ ଦଖଲ କରିଥିବାବେଳେ ଓଡ଼ିଶା ୪ର୍ଥ ସ୍ଥାନରେ ରହିଛି । ବିହାର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମଧ୍ୟପ୍ରଦେଶ ତୃତୀୟ ଓ ରାଜସ୍ଥାନ ୫ମ ସ୍ଥାନରେ ରହିଛନ୍ତି । ରିପୋର୍ଟ ଅନୁସାରେ ଏହି ୫ ବର୍ଷ ଭିତରେ ଗ୍ରାମାଞ୍ଚଳରେ ଗରିବଙ୍କ ସଂଖ୍ୟା ୩୨.୫୯ ପ୍ରତିଶତରୁ ହ୍ରାସ ପାଇ ୧୯.୨୮ ପ୍ରତିଶତ ରହିଛି ।

ସେହିଭଳି ସହରାଞ୍ଚଳରେ ଦାରିଦ୍ର୍ୟତା ସଂଖ୍ୟାରେ ୮.୬୫ ପ୍ରତିଶତରୁ ହ୍ରାସ ପାଇ ୫.୨୭ ପ୍ରତିଶତ ରହିଛି । ସବୁଠାରୁ ଉତ୍ତରପ୍ରଦେଶରେ ଅଧିକ ଦାରିଦ୍ର୍ୟ ଦୂର ହୋଇଛି । ନୀତି ଆୟୋଗ ତା ରିପୋର୍ଟରେ କହିଛି ଯେ ପରିମଳ, ପୁଷ୍ଟିକର ଖାଦ୍ୟ, ରନ୍ଧନ ଗ୍ୟାସ, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ବିଶୁଦ୍ଧ ପାନୀୟଜଳ ଯୋଗାଣ ଓ ବିଦ୍ୟୁତ ଉପରେ ସରକାର ବିଶେଷ ଧ୍ୟାନ ଦେଇଛନ୍ତି । ଏହି କାରଣରୁ ଦାରିଦ୍ର୍ୟ ହ୍ରାସ ଦିଗରେ ଏକ ସଫଳତା ମିଳିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ରାଜ୍ୟର ୧୬ଟି ଜିଲ୍ଲାରେ ଦାରିଦ୍ର୍ୟ ଦୂରୀକରଣ ସଫଳତା ଅଧିକ ରହିଛି । ଏ କ୍ଷେତ୍ରରେ ପୁରୀ ଜିଲ୍ଲାର ପ୍ରଦର୍ଶନ ଶୀର୍ଷରେ ଥିବାବେଳେ ଏହାପଛକୁ ଜଗତ୍‍ସିଂହପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ, ଝାରସୁଗୁଡା, ସୋନପୁର, କେନ୍ଦ୍ରାପଡା, ବଲାଙ୍ଗୀର, ସମ୍ବଲପୁର, ବରଗଡ, ଅନୁଗୁଳ, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ ଆଦି ଜିଲ୍ଲା ରହିଛି ।

Get real time updates directly on you device, subscribe now.