fbpx

ନୀତିଶ କୁମାରଙ୍କ ୟୁ-ଟର୍ଣ୍ଣକୁ ନେଇ ଜାତୀୟ ରାଜନୀତିରେ ହଟଚମଟ: ଆସନ୍ତାକାଲି ଏନଡିଏ ମେଣ୍ଟକୁ ଫେରିବ ଜେଡିୟୁ

ପାଟନା: ଏନଡିଏ ମେଣ୍ଟକୁ ଜେଡିୟୁ ଫେରିବା ଏକ ପ୍ରକାର ନିଷ୍ପତି ହୋଇସାରିଛି, କେବଳ ଔପଚାରିକ ଘୋଷଣା ବାକି ରହିଛି। ସେହିପରି ଲୋକସଭା ନିର୍ବାଚନକୁ ଆଉ ମାତ୍ର ୩ ମାସ ବାକି ରହିଥିବା ବେଳେ ଜେଡିୟୁ ଓ ଏନଡିଏ ମଧ୍ୟରେ ଆସନ ଭାଗବଣ୍ଟା ନେଇ ମଧ୍ୟ ଆଲୋଚନା ହୋଇସାରିଥିବା ଜଣାପଡିଛି। ତେବେ ଅଗଷ୍ଟ ୨୦୨୨ରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ଦଳ ଗଠନ କରିଥିବା ବେଳେ ନୀତିଶ କୁମାର ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ। କିନ୍ତୁ ନୀତିଶ କୁମାରଙ୍କ ହଠାତ ଏଭଳି ୟୁ-ଟର୍ଣ୍ଣକୁ ନେଇ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଗୋଟିଏ ପଟେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଓ ପଞ୍ଜାବର ଆପ୍ ସରକାର କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ିବାକୁ ମନା କରିଥିବା ବେଳେ ବର୍ତ୍ତମାନ ଜେଡିୟୁର ଏଭଳି ପଟ ପରିବର୍ତ୍ତନ କଂଗ୍ରେସକୁ ଆହୁରି ବଡ଼ ଝଟକା ଦେଇଛି।

ତେବେ କିଛି ସମୟ ପୂର୍ବରୁ କୁହାଯାଉଥିଲା ଯେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଡ଼ଗେ ନୀତିଶ କୁମାରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ନୀତିଶ କୁମାରଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ହୋଇପାରିନଥିଲା। କାରଣ ନୀତିଶ କୁମାର ବର୍ତ୍ତମାନ ନିଜର ଶେଷ ନିଷ୍ପତି ନେଇ ସାରିଥିବା ଚର୍ଚ୍ଚା ହେଉଛି। ଜେଡିୟୁ ବା ନୀତିଶଙ୍କ ପାଖରେ ମୋଟ ୭୨ଟି ଆସନ ଥିବା ବେଳେ ସମସ୍ତ ବିଧାୟକ ନୀତିଶ କୁମାରଙ୍କ ନିଷ୍ପତିକୁ ସମର୍ଥନ ଜଣାଇଥିବା ଜଣାପଡିଛି। ଏବଂ ଆସନ୍ତାକାଲି ନୀତିଶଙ୍କ ଘରେ ଜେଡିୟୁ ଓ ଏନଡିଏର ସମସ୍ତ ବିଧାୟକଙ୍କୁ ନେଇ ଏକ ବୈଠକ ହେବାକୁ ଯାଉଛି। ଏହାପରେ ସମସ୍ତେ ମିଶି ନୀତିଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ନେତୃତ୍ୱ ପାଇଁ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିବେ ବୋଲି କୁହାଯାଉଛି। ତେବେ ଲାଲୁ ଯାଦବଙ୍କ ପୁଅ ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ହଟାଇ ବିଜେପିର ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦିଙ୍କୁ ଜେଡିୟୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ମନସ୍ଥ କରିଛି। ଅନ୍ୟପଟେ ତେଜସ୍ୱୀ ଯାଦବଙ୍କ ଦଳ ଆରଜେଡିର ବହୁ ବିଧାୟକଙ୍କୁ ନିଜ ସହ ବିଜେପିକୁ ନେବା ପାଇଁ ନୀତିଶ କୁମାର ପ୍ରୟାସ କରୁଥିବା ମଧ୍ୟ କୁହାଯାଉଛି। ସେହିପରି କଂଗ୍ରେସର କିଛି ବିଧାୟକ ମଧ୍ୟ ନୀତିଶଙ୍କ ସହ ଏନଡିଏ ମେଣ୍ଟରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।

Get real time updates directly on you device, subscribe now.