ରେଳଧାରଣା ପାରି ହେଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ କ୍ଷତିପୂରଣ ମିଳିବନି: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ବ୍ୟକ୍ତି ବେଆଇନ ଭାବେ ରେଳ ଲାଇନ୍ ପାରି ହେବାକୁ ପ୍ରୟାସ କରିଥାନ୍ତି । ତେବେ ଏହା ଏକ ବେଆଇନ କାର୍ଯ୍ୟ । ତେଣୁ ରେଳ ଲାଇନ୍ ଉପରକୁ ଅନଧିକୃତ ଭାବେ ଯିବା ସମୟରେ ଯଦି କାହାର ମୃତ୍ୟୁ ହୁଏ ତେବେ ସେ କ୍ଷେତ୍ରରେ ପୀଡ଼ିତଙ୍କୁ କ୍ଷତିପୂରଣ ମିଳିବ ନାହିଁ । ଏଭଳି ଏକ ଦୁର୍ଘଟଣାଜନିତ ମାମଲାରେ ମୃତକଙ୍କ ପରିବାର ପକ୍ଷରୁ ଦାୟର ହୋଇଥିବା ୧୧ଟି ମାମଲାକୁ ହାଇକୋର୍ଟ ଖାରଜ କରି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।

ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀ ଏହି ମାମଲାର ଶୁଣାଣି କରିଛନ୍ତି । ଯେଉଁ ଘଟଣାରେ ରେଳବାଇର ଅବହେଳାରୁ ଧନଜୀବନ ହାନୀ ଘଟିଥିବ ସେ କ୍ଷେତ୍ରରେ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ରେଳପଥରେ ରେଳଗାଡ଼ି ଯିବା ଆସିବା କରିବା ପାଇଁ ବ୍ୟବସ୍ଥା ହୋଇଛି । ତେଣୁ ତାହାକୁ କୌଣସି ପଥଚାରୀ ଯିବା ଆସିବା ପାଇଁ ବ୍ୟବହାର କରିବା ଅନୁଚିତ । ମୃତକ ବେଆଇନ ଭାବେ ରେଳ ଧାରଣା ଉପରକୁ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତେଣୁ ଏଭଳି ସ୍ଥିତିରେ ମୃତକଙ୍କ ପରିବାର କ୍ଷତିପୂରଣ ପାଇବାକୁ ହକଦାର ନୁହନ୍ତି ବୋଲି ହାଇକୋର୍ଟ କହିଛନ୍ତି ।