ଆଉ ଆସିବନି କ୍ରେଡିଟ୍ କାର୍ଡ ଏବଂଲୋନର ନକଲି କଲ , ସରକାର କରୁଛନ୍ତି ସ୍ୱତନ୍ତ୍ର ପ୍ରସ୍ତୁତି

ନୁଆଦିଲ୍ଲୀ: ଦିନସାରା ଆପଣଙ୍କ ମୋବାଇଲରେ ଆସୁଥିବା ବ୍ୟାଙ୍କିଙ୍ଗ୍ ଠକେଇ କଲ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଶୀଘ୍ର, ଏହା ସହ ଜଡିତ ନିର୍ଦ୍ଦେଶାବଳୀ ଜାରି କରାଯାଇପାରେ । ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅତ୍ୟନ୍ତ କଠୋର ହେବ ବୋଲି କୁହାଯାଉଛି। ଏହା ନକଲି ସ୍ପାମ୍ କଲ୍‌କୁ ରୋକିବାକୁ ସକ୍ଷମ ହେବ।

ବାସ୍ତବରେ, ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ମାର୍କେଟିଂ କମ୍ପାନୀଗୁଡିକ ସ୍ପାମ୍ କଲ୍ କିମ୍ବା ବ୍ୟବସାୟ କଲ୍ କରିବା ପାଇଁ ସର୍ବଦା କିଛି ବାଟ ଖୋଜିଥାନ୍ତି । ଏହାପୂର୍ବରୁ ଟେଲିକମ୍ ସେକ୍ଟର ନିୟାମକ ଟ୍ରାଇ ସମସ୍ତ କମ୍ପାନୀକୁ କଲ୍ ସହିତ ନାମ ଦେଖାଇବାକୁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଅଳ୍ପ କିଛି କମ୍ପାନୀ ବ୍ୟତୀତ ଏହି ନିର୍ଦ୍ଦେଶକୁ କେହି ଠିକ୍ ଭାବରେ ଅନୁସରଣ କଲେ ନାହିଁ । ଟ୍ରାଇ ସ୍ମାର୍ଟଫୋନ୍ ନିର୍ମାତାମାନଙ୍କୁ ମଧ୍ୟ ସେମାନଙ୍କ ଡିଭାଇସରେ ଉପଭୋକ୍ତାମାନଙ୍କୁ ଏହିପରି କୈଶିଷ୍ଟ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଦ୍ବାରା ସାଧାରଣ ଲୋକମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହେବ‌େ।

ଚଳିତବର୍ଷ ଆରମ୍ଭରେ ଗ୍ରାହକ ବ୍ୟାପାର ବିଭାଗ ସ୍ପାମ୍ କଲ୍ ବନ୍ଦ କରିବାକୁ ଏକ କମିଟି ଗଠନ କରିଥିଲା। ସ୍ପାମ୍ କଲ୍ ନିୟନ୍ତ୍ରଣ କରିବା ପାଇଁ ଏହି କମିଟି ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି। ୧୦ ମେ’ରେ ଏନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଟେଲିକମ୍ ବିଭାଗ, ଟ୍ରାଇ, ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖରେ, ସେଲୁଲାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଅଧିକାରୀ ତଥା ବିଏସ୍ଏନ୍ଏଲ୍, ଭୋଡାଫୋନ୍, ରିଲାଏନ୍ସ ଏବଂ ଏୟାରଟେଲର ଅଧିକାରୀମାନେ ଯୋଗ ଦେଇଥିଲେ।

କମିଟିର ଏହି ବୈଠକରେ ସ୍ପାମ୍ କଲ୍ ବର୍ଗରେ କେଉଁ ପ୍ରକାର ଫୋନ୍ କଲ୍ ରଖାଯିବା ଉପରେ ଆଲୋଚନା କରାଯାଇଥିଲା। ଏଥିମଧ୍ୟରେ ବେଆଇନ କଲ୍ ଏବଂ ମେସେଜଗୁଡ଼ିକର ସଂଜ୍ଞା ମଧ୍ୟ ସ୍ଥିର କରାଯାଇଛି । ନୂତନ ନିୟମ ଉପରେ ବିସ୍ତୃତ ଆଲୋଚନା ପରେ କମିଟି ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛି। ବର୍ତ୍ତମାନ ଏହାକୁ ଗ୍ରାହକ ବ୍ୟାପାର ବିଭାଗର ଅନୁମୋଦନ କରା ଯାଇ ନାହିଁ। ଅନୁମୋଦନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ଉପଭୋକ୍ତାମାନଙ୍କ ସମସ୍ୟାକୁ ଧ୍ୟାନରେ ରଖି ଏହି କମିଟି ବୈଠକରେ ସ୍ବୀକାର କରାଯାଇଛି ଯେ ଅବାଞ୍ଛିତ ତଥା ଅଯଥା କଲ୍ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି କରିଥାଏ। ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟ୍ରାଇ ଏବଂ ଟେଲିକମ୍ ବିଭାଗ କ୍ରମାଗତ ଭାବରେ ଏହିପରି କଲ୍ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ମାର୍କେଟିଂ କମ୍ପାନୀଗୁଡିକ ପ୍ରତ୍ୟେକ ଥର ଏକ ନୂତନ ଉପାୟ ଅବଲମ୍ବନ କରୁଛନ୍ତି। କିନ୍ତୁ ଏଥର କମିଟି ଏ ସମ୍ପର୍କରେ କଡା ନିୟମ କରୁଛି। ଏଥିପାଇଁ ଡିଜିଟାଲ କଣ୍ଟେଟ୍ ଅଧିଗ୍ରହଣ ପ୍ରଣାଳୀ ବିକାଶ ପାଇଁ ବ୍ୟାଙ୍କ, ଆର୍ଥିକ କମ୍ପାନୀ, ବୀମା କମ୍ପାନୀ ଏବଂ ବାଣିଜ୍ୟ କମ୍ପାନୀଗୁଡ଼ିକୁ ମଧ୍ୟ କମିଟି ନିର୍ଦ୍ଦେଶ ଦେଇଛି। ଏହା ପରେ, ଗ୍ରାହକମାନେ ନିଜେ ସ୍ଥିର କରିବେ ଯେ କଲ୍ ସେମାନଙ୍କ ନମ୍ବରରେ ଆସିବା ଉଚିତ କି ନୁହେଁ ।