fbpx

ଉତ୍ତର କୋରିଆରେ ଭୟଙ୍କର ପରିସ୍ଥିତି: ଅଜଣା ଜ୍ୱରରେ ଆଉ ୧୫ ଜଣଙ୍କ ମୃତ୍ୟୁ, ୮ ଲକ୍ଷରୁ ଅଧିକ ଆକ୍ରାନ୍ତ

Advertisement

ସିଓଲ୍: କରୋନା ମହାମାରୀର ବିସ୍ତାରକୁ ରୋକିବାକୁ ସଂଘର୍ଷ କରୁଥିବା ଉତ୍ତର କୋରିଆରେ ରହସ୍ୟମୟ ଅଜଣା ଜ୍ୱରରେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୪୨ ଜଣ ଲୋକ ଏହି ଅଜଣା ଜ୍ୱରରେ ପ୍ରାଣ ହରାଇଛନ୍ତି । ଦେଶର ମିଡିଆ ପକ୍ଷରୁ ଏହାର ସୂଚନା ମିଳିଛି ।

ତେବେ ୨ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କରୋନାଠାରୁ ଦୂରେଇ ରହିଛି ବୋଲି ଦାବି କରୁଥିବା ଉତ୍ତର କୋରିଆ ଗୁରୁବାର ଦିନ ଘୋଷଣା କରିଛି ଯେ, ଦେଶରେ କୋଭିଡ ସଂକ୍ରମିତ ଲୋକ ଚିହ୍ନଟ ହେଉଛନ୍ତି । ସେବେଠାରୁ ଦେଶରେ ଏକ ଅଜଣା ଜ୍ୱର ବ୍ୟାପିଯାଇଛି । କିନ୍ତୁ କୋଭିଡର କେତେ ମାମଲା ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛି, ତାହା ଜଣାପଡିନି ।

ସୂଚନା ଅନୁସାରେ, ୩ ଦିନ ମଧ୍ୟରେ ଉତ୍ତର କୋରିଆରେ ସମୁଦାୟ ୮୨୦, ୬୨୦ଜଣ କୋଭିଡ୍-୧୯ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୪୨ଜଣଙ୍କର ମୃତ୍ୟୁ ଘଟିଛି ଓ ୩୨୪,୫୫୦ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏଏନ୍’ ରିପୋର୍ଟ କରିଛି ।

କୋଭିଡ୍ ସଂକ୍ରମଣ ଦେଶରେ ମହା ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି ବୋଲି ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍-ଉନ୍ କହିଛନ୍ତି । ଦେଶର ସମସ୍ତ ପ୍ରଦେଶ, ସହର ଓ କାଉଣ୍ଟିରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି । ‘ୱାର୍କିଙ୍ଗ୍ ୟୁନିଟ୍’, ‘ପ୍ରଡକ୍ସନ୍ ୟୁନିଟ୍’ ଏବଂ ‘ରେସିଡେନ୍ସିଆଲ୍ ୟୁନିଟ୍’ଗୁଡ଼ିକ ପରସ୍ପରଠାରୁ ପୃଥକ୍ ହୋଇ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.