Breaking: ଓଡ଼ିଆ ପକ୍ଷ ପାଳନ କରିବେ ମୁଖ୍ୟମନ୍ତ୍ରୀ, ଏପ୍ରିଲ ୧-୧୪ ଯାଏଁ ସାରା ରାଜ୍ୟରେ ପାଳିତ ହେବ ଓଡ଼ିଆ ପକ୍ଷ

ଚଳିତ ବର୍ଷ ଧୁମଧାମରେ ଓଡ଼ିଆ ପକ୍ଷ ପାଳନ କରିବେ ମୋହନ ସରକର। ୧୪ ଦିନ ଧରି କରାଯିବ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ।

ଭୁବନେଶ୍ୱର: ଓଡ଼ିଆ ପକ୍ଷ। ଯାହା ପ୍ରତିଟି ଓଡିଆମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ। ଏହି ଦିନକୁ ବେଶ ମହା ଆଡମ୍ୱରରେ ସବୁ ଓଡ଼ିଆ ମାନେ ଚାହିଁ ରହିଥାନ୍ତି। ଆଉ ଚଳିତ ବର୍ଷ ଏହି ଓଡ଼ିଆ ପକ୍ଷ ଆହୁରି ଧୁମଧାମରେ ପାଳନ ହେବ।

କାରଣ ଚଳିତ ବର୍ଷ ଧୁମଧାମରେ ଓଡ଼ିଆ ପକ୍ଷ ପାଳନ କରିବେ ମୋହନ ସରକର। ଓଡ଼ିଶା ଦିବସ ଏପ୍ରିଲ ୧ ତାରିଖରୁ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ତାରିଖ ଯାଏଁ ସାରା ରାଜ୍ୟରେ ପାଳିତ ହେବ ଓଡ଼ିଆ ପକ୍ଷ।

ଏଥିପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଚିଠି ଲେଖାଯାଇଛି। ଓଡ଼ିଆ ପକ୍ଷରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ସାମିଲ ହେବେ। ଏପ୍ରିଲ ପହିଲାରେ ଓଡ଼ିଶା ଦିବସ ପାଳନ ହେବ।

ଏଥିରେ ସୂଚନା ଓ ଲୋକ ସଂପର୍କ ବିଭାଗ ସହ ସମସ୍ତ ଜିଲ୍ଲାପାଳ ସାମିଲ ହେବେ। ଏପ୍ରିଲ ୨ ତାରିଖରେ ପାଳିତ ହେବ ଖଡ଼ିଛୁଆଁ ଦିବସ। ଏଥିରେ ସାମିଲ ହେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ।

ଏହିକ୍ରମରେ ୧୨ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ରମାନଙ୍କ ସଂପର୍କରେ ସାରା ରାଜ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।

ଏପ୍ରିଲ ୧୩ ତାରିଖରେ ପଞ୍ଚାୟତିରାଜ ବିଭାଗ, ସହରାଞ୍ଚଳ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ହେବ ପାରମ୍ପରିକ ଖାଦ୍ୟ ଦିବସ ପାଳନ। ଏପ୍ରିଲ ୧୪ରେ ଓଡ଼ିଆ ନବବର୍ଷ ପାଳିତ ହେବ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୁଳୁହୁଳି, ଝୋଟି, ଚିତା, ମୁରୁଜ, ପିଠାପଣା ପ୍ରତିଯୋଗିତା ଅନୁଷ୍ଠିତ ହେବ।