ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ; “ଓଡ଼ିଆ ଜାତି ପାଇଁ ବର୍ତ୍ତମାନ ସମୟ ହେଉଛି ଏକ ଗୌରବମୟ ସମୟ”

ପୁରୀ: ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପିତ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଆ ଭାଷାର ବରପୁତ୍ର ମାନଙ୍କୁ ପ୍ରଣାମ ଜଣାଇଲେ ମୁଖ୍ୟମନ୍ତ୍ରୀ। “ଓଡ଼ିଆ ଜାତି ପାଇଁ ବର୍ତ୍ତମାନ ସମୟ ହେଉଛି ଏକ ଗୌରବମୟ ସମୟ । ଯୁବ ପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରାଯିବ ଜରୁରୀ। ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ବଢିବା ଦରକାର। ଓଡ଼ିଆ ଭାଷାରେ ଭଲ ସାହିତ୍ୟ ସୃଷ୍ଟି ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଉଦ୍ୟମ କରୁ।” ଲୋକାର୍ପଣ ସମୟରେ ଏପରି ବାର୍ତ୍ତା ଦେଇଛନ୍ତି ନବୀନ।

ସେ କହିଲେ ଯେ ନିକଟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଆଜି ଓଡ଼ିଆ ବିଶ୍ବ ବିଦ୍ୟାଳୟର କ୍ୟାମ୍ପସ୍‌ ଉଦ୍‌ଘାଟିତ ହେଲା। ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି ଏବଂ ଫେବୃଆରୀ ୩ ତାରିଖରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ହେବ। ତେଣୁ ନିଶ୍ଚିତ ଭାବେ ଏହା ଆମ ସମସ୍ତଙ୍କ ପାଇଁ, ସମଗ୍ର ଓଡ଼ିଆ ଜାତି ପାଇଁ ଏହା ଏକ ଗୌରବର ସମୟ, ଅସ୍ମିତାର ସମୟ।

ଏହି ଅବସରରେ ବିଶ୍ବ ବିଦ୍ୟାଳୟ କୁଳପତି, ପ୍ରାଧ୍ୟାପକ, ଓ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମ ସଂସ୍କୃତି, ଆମ ଜୀବନଧାରା, ଆମ ପରମ୍ପରାକୁ ଭିତ୍ତି କରି ଭଲ ଭଲ ସାହିତ୍ୟ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଦରକାର। ଏ ଦିଗରେ ଓଡିଆ ବିଶ୍ୱବିଦ୍ୟାଳୟ ନେତୃତ୍ୱ ନେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସତ୍ୟବାଦୀକୁ ଓଡିଆ ନବଜାଗରଣର ପୀଠ ଭାବେ ବର୍ଣ୍ଣନା କରି ସେ କହିଲେ ଯେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ କର୍ମଭୂମୀ ହେଉଛି ସତ୍ୟବାଦୀ। ଏହି ଅବସରରେ ସେ ଆଦି କବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହ ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ର ମାନଙ୍କୁ ସେ ତାଙ୍କର ସମ୍ମାନ ଜଣାଇ ଥିଲେ । ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିବା ମହାରଥୀ ମାନଙ୍କ ପ୍ରତି ମଧ୍ୟ ତାଙ୍କର ସମ୍ମାନ ଜଣାଇ ଥିଲେ।