ଆଜି ସହିଦ ମାଧେ ସିଂ ହାତ ଖର୍ଚ୍ଚ ଯୋଜନାର ଶୁଭରାମ୍ଭ, ଦେଢ ଲକ୍ଷରୁ ଅଧିକ ଶିକ୍ଷାର୍ଥୀଙ୍କୁ ମିଳିବ 5 ହଜାର
ଜନଜାତି ଛାତ୍ରଛାତ୍ରୀଙ୍କ ଜମାଖାତାକୁ ଏକକାଳୀନ 5 ହଜାର ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ଆଜି ସହିଦ ମାଧେ ସିଂ ହାତ ଖର୍ଚ୍ଚ ଯୋଜନାର ଶୁଭରାମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଜାତି ଛାତ୍ରଛାତ୍ରୀଙ୍କ ଜମାଖାତାକୁ ଏକକାଳୀନ 5 ହଜାର ଟଙ୍କା ପ୍ରଦାନ କରିବେ । ୟୁନିଟ-3 ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀ ଆଦିବାସୀ ମେଳା ଉଦଘାଟନୀ ଉତ୍ସବରେ ଏହାର ଶୁଭାରମ୍ଭ କରାଯିବ ।
ତେବେ ଏହି ଯୋଜନାରେ ରାଜ୍ୟର 2 ଲକ୍ଷ ଶିକ୍ଷାର୍ଥୀ ଏହି ପ୍ରୋତ୍ସାହନ ରାଶି ପାଇବାକୁ ଥିବା ବେଳେ ଆଜି ପ୍ରଥମେ 1 ଲକ୍ଷ 60 ହଜାର ଶିକ୍ଷାର୍ଥୀଙ୍କୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।
ରାଜ୍ୟ ସରକାର ଜନଜାତିଙ୍କ ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଅନୁସୂଚୁତ ଜନଜାତିଙ୍କୁ ଶିକ୍ଷିତ କରିବା ପାଇଁ ଏଭଳି ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ନବମ ଏବଂ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଶିକ୍ଷାର୍ଥୀଙ୍କୁ ବାର୍ଷିକ 5 ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।
ଏହି ଯୋଜନାରେ ରାଜ୍ୟ ସରକାର ମୋଟ ୧୫୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହା ଦ୍ବାରା ରାଜ୍ୟର ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ବିଧାନସଭାରେ ପୂର୍ବରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ପ୍ରଦାନ କରିଥିଲେ ।