fbpx

ପ୍ରତି ଶିଶୁ ପିଛା ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮ ହଜାର ଟଙ୍କା, ବଜେଟରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଶିଶୁଙ୍କର ଉନ୍ନତି ହିଁ ଭବିଷ୍ୟତରେ ଦେଶ ଗଠନରେ ସହାୟକ ହେବ । ଶିଶୁମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ଘଟିଲେ ହିଁ ଦେଶ ଆଗକୁ ଯାଇ ପାରିବ । ଶିଶୁଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ବିକାଶ ଓ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ।
ତେବେ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟରେ ରାଜ୍ୟ ସରକାର ଶିଶୁଙ୍କ ବିକାଶ ନେଇ ଅନେକ ଦିଗ ପ୍ରତି ଧ୍ୟାନ ଦେଇଛନ୍ତି । ପୂର୍ବ ବର୍ଷମାନଙ୍କରେ ରାଜ୍ୟ ସରକାର ଜଣେ ଶିଶୁ ପିଛା ଯେତି ଅର୍ଥ ଖର୍ଚ୍ଚ କରୁଥିଲେ ଏଥର ଉକ୍ତ ରାଶିକୁ ବୃଦ୍ଧି କରିଛନ୍ତି । ଗତ ୨୦୨୦-୨୧ରେ ଜଣେ ଶିଶୁ ପିଛା ୧୩ ହଜାର ୯୨୫ ଟଙ୍କା ୩୮ ପଇସା ଖର୍ଚ୍ଚ କରାଯାଉଥିଲା । ସେହିପରି ୨୦୨୧-୨୨ରେ ଏହା ୧୭ ହଜାର ୭ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଥିଲା ।
ତେବେ ୨୦୨୨-୨୩ରେ ରାଜ୍ୟ ସରକାର ପ୍ରତି ଶିଶୁ ପିଛା ୧୮ ହଜାର ୭୨୯ ଟଙ୍କା ୪୦ ପଇସା ଖର୍ଚ୍ଚ କରିବାକୁ ଚଳିତ ବଜେଟରେ ସ୍ଥିର କରିଛନ୍ତି । ମୋଟ ଖର୍ଚ୍ଚର ୧୩.୧୯ ପ୍ରତିଶତ ଶିଶୁଙ୍କ ପାଇଁ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଚଳିତ ବଜେଟରେ ରାଜ୍ୟ ସରକାର ଶିଶୁଙ୍କ ବିକାଶ ପାଇଁ ଅଧିକ ଗୁରୁତ୍ୱ ଦେଇଛନ୍ତି ।
ଶିଶୁଙ୍କ ପାଇଁ ଇ-ଶିକ୍ଷା, ଗଙ୍ଗାଧର ମେହର ଶିକ୍ଷାମାନକ ବୃଦ୍ଧି ଯୋଜନା, ମିଶନ ସୁବିଦ୍ୟା ଯୋଜନା, ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି । ଚଳିତ ପୂର୍ଣ୍ଣାଙ୍ଗ ବଜେଟରେ ଶିଶୁଙ୍କ ପାଇଁ ୨୩ ଲକ୍ଷ ୫୧ ହଜାର ୬୦୮ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଏଥିସହିତ ସମଗ୍ର ଶିକ୍ଷା, ମାଧ୍ୟମିକ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ର, ବିକାଶ କ୍ଷେତ୍ର, ଶିଶୁ ସୁରକ୍ଷା ପାଇଁ ଖର୍ଚ୍ଚ କରାଯିବାକୁ ବଜେଟରେ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.