ବିତ୍ତୀୟ ସ୍ୱାସ୍ଥ୍ୟରେ ୧ ନମ୍ବର ଓଡ଼ିଶା, ପଛାଇଗଲେ ଛତିଶଗଡ଼, ଗୋଆ

ସର୍ବମୋଟ ୬୭.୮ ସ୍କୋରରେ ଓଡ଼ିଶା ଆଗରେ ରହିଛି । ସବୁଠାରୁ ପଛରେ ରହିଛି ପଞ୍ଜାବ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ।

ନୂଆଦିଲ୍ଲୀ: ବିତ୍ତୀୟ ପରିଚାଳନାରେ ଓଡ଼ିଶା ବସୁଠୁ ଆଗରେ ରହିଛି । ଯେଉଁକାରଣରୁ ରାଜ୍ୟର ବିତ୍ତୀୟ ସ୍ୱାସ୍ଥ୍ୟ ଅନ୍ୟ ରାଜ୍ୟ ତୂଳନାରେ ଢେର୍ ଅଧିକ । ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି ।

ରାଜ୍ୟଗୁଡ଼ିକର ବିତ୍ତୀୟ ସ୍ୱାସ୍ଥ୍ୟ ସମ୍ପର୍କରେ ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ୧୮ ରାଜ୍ୟ ଭିତରୁ ଓଡ଼ିଶାର ବିତ୍ତୀୟ ସ୍ୱାସ୍ଥ୍ୟ ୧ ନମ୍ବର । ସର୍ବମୋଟ ୬୭.୮ ସ୍କୋରରେ ଓଡ଼ିଶା ଆଗରେ ରହିଛି ।

ବିକଶିତ ଓଡିଶା : ଓଡ଼ିଶା ପଛକୁ ରହିଛି ଛତିଶଗଡ଼, ଯାହାର ସ୍କୋର ରହିଛି ୫୫.୨ । ତୃତୀୟସ୍ଥାନରେ ରହିଥିବା ଗୋଆର ୫୩.୬ ସ୍କୋର କରିଛି । ୨୦୨୨-୨୩ ଆର୍ଥିକ ବର୍ଷର ବିତ୍ତୀୟ ସ୍ଥିତିକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି । ୨୦୧୪-୧୫ରୁ ଆରମ୍ଭ କରି ୨୦୨୧-୨୨ ପର୍ଯ୍ୟନ୍ତ ଓଡ଼ିଶା କ୍ରମାଗତ ଭାବେ ୧ ନମ୍ବରରେ ଥିଲା ।

ସବୁଠାରୁ ପଛରେ ରହିଛି ପଞ୍ଜାବ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ । ବିକାଶ କ୍ଷେତ୍ରରେ ରାଜ୍ୟଠାରୁ ଆଗରେ ଥିବା ତାମିଲନାଡ଼ୁ, କର୍ଣ୍ଣାଟକ ଓ ହରିଆଣା କିନ୍ତୁ ବିତ୍ତୀୟ ସ୍ୱାସ୍ଥ୍ୟରେ ଓଡ଼ିଶା ପଛରେ ଅଛନ୍ତି ।

ଋଣରେ ଓଡ଼ିଶା ୯୯.୦ ଏବଂ ନିୟମିତ ଋଣ ପଇଠ ସହ ଉନ୍ନତ ଋଣ ସ୍ଥିତି କ୍ଷେତ୍ରରେ ୬୪.୦ ସ୍କୋର କରି ଆଗରେ ଅଛି । ରାଜ୍ୟରେ ବିତ୍ତୀୟ ନିଅଣ୍ଟ ଖୁବ୍ କମ୍ ରହିଛି । ସେହିପରି ବଜେଟ ଅର୍ଥ ଖର୍ଚ୍ଚ ମାନରେ ଓଡ଼ିଶା ୫୨ ସ୍କୋର କରି ୪ଟିଶ୍ରେଷ୍ଠ ରାଜ୍ୟ ମଧ୍ୟରେ ରହିଛି ।