ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଦିନକୁ ଦିନ ବଢ଼ିଚାଲିଛି ସାଇବର ଲୁଟେରାଙ୍କ ଆତଙ୍କ । ଆଖିପିଛୁଳାକେ ଲୁଟି ନେଉଛନ୍ତି ସାଧାରଣ ଲୋକଙ୍କ କଷ୍ଟ ଅର୍ଜିତ ଧନ । ଏମିତି ସ୍ଥିତିରେ ଓଡ଼ିଶାରେ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ଏହି ସାଇବର ଠକଙ୍କ ଆତଙ୍କ । ବିଭିନ୍ନ ଉପାୟରେ ଲୁଟି ନେଉଛନ୍ତି ଟଙ୍କା । ଆଉ ଏବେ ସାଇବର ଠକେଇରେ ଓଡ଼ିଶା ନବମ ସ୍ଥାନରେ ରହିଛି, ସେଭିଭଳି ପ୍ରଥମ ସ୍ଥାନରେ ରହିଛି ପଶ୍ଚିମବଙ୍ଗ ।
କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୩ ମାସ ମଧ୍ୟରେ ଓଡ଼ିଶାରୁ ସାଇବର ଠକମାନେ ମୋଟ ୯୬ ଲକ୍ଷରୁ ଅଧିକ ଟଙ୍କା ଲୁଟିଛନ୍ତି । କେବଳ ଜୁନ୍ ମାସରେ ୨୫୯ ଠକାମୀର ଶିକାର ହୋଇଛନ୍ତି । ଜୁନରେ ସାଇବର ଠକମାନେ ଓଡ଼ିଶାରୁ ୭୯,୯୯୬ ଟଙ୍କା ଲୁଟିଥିବାବେଳେ ଗତ ମାସରେ ମୋଟ ଲୁଟର ପରିମାଣ ୭ଲକ୍ଷ ୬୨ହଜାର ୩ଶହ ୭୧ ଟଙ୍କା ରହିଛି ।
ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି ଯେ ସାଧାରଣତଃ ଏପ୍ରିଲ ମାସରେ ଆର୍ଥିକ ମାସର ଆରମ୍ଭ ହୋଇଥାଏ ଏବଂ ଏହି ସମୟରେ ବ୍ୟାଙ୍କରେ ଅନେକ ନୂଆ ଖାତା ଖୋଲିବା ସହ ଅନେକ ପୁରୁଣା ଖାତା ବନ୍ଦ ହୋଇଥାଏ ଯାହାକୁ ସାଇବର ଠକମାନେ ଟାର୍ଗେଟ କରିଥାନ୍ତି । ତେଣୁ ଏହି ସମୟରେ ଅଧିକ ସାଇବର ଠକେଇ ମାମଲା ଦେଖିବାକୁ ମିଳେ । ତେବେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଗୃହମନ୍ତ୍ରଣାଳୟ ତାଲିକାଭୁକ୍ତ ରାଜ୍ୟର ୭୭ଟି ଲ’ଏନଫୋର୍ସମେଣ୍ଟ ଏଜେନ୍ସି ୟୁଜର ସକ୍ରିୟ ହୋଇ ସାଇବର ଠକଙ୍କୁ ଧରିବା କାର୍ଯ୍ୟ କରୁଛନ୍ତି ।
ବ୍ୟାଙ୍କର ଡାଟାବେସ ଲିକ୍ କରାଇ ସେଥିରୁ ଫୋନ ନମ୍ବର ଦ୍ୱାରା ସେମାନଙ୍କୁ ଫୋନ କରି ବିଭିନ୍ନ ଲୋଭ ଦେଖାଇ ଲୁଟ କରନ୍ତି । ତଥ୍ୟରୁ ଜଣାପଡ଼ଛି ସର୍ବାଧିକ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରାୟ ୬ହଜାର ଗ୍ରାହକ ପ୍ରତିମାସରେ ଏହି ସାଇବର ଠକଙ୍କ ଶିକାର ହେଉଛନ୍ତି ଏବଂ ସର୍ବନିମ୍ନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରାୟ ୬ଶହ ଗ୍ରାହକ ପ୍ରତିମାସରେ ଠକେଇର ଶିକାର ହେଉଛନ୍ତି ।
ଗୃହ ମନ୍ତ୍ରଣାଳୟର ଟାର୍ଗେଟରେ ଏବେ ବିଭିନ୍ନ ରାଜ୍ୟରୁ ମୋଟ ୩୫୦ ସାଇବର୍ ଠକ ଅଛନ୍ତି । ଯେଉଁଥିରୁ ଝାଡଖଣ୍ଡ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ରାଜ୍ୟରେ ସର୍ବାଧିକ ହ୍ୟାକର୍ ଥିବା ଜଣାପଡ଼ିଛି । ତାଲିକାଭୁକ୍ତ ସାଇବର ଠକଙ୍କ ମଧ୍ୟରୁ ଅନେକ ଗିରଫ ହୋଇଥିବାବେଳେ ଆହୁରି ଅନେକ ଠକ ଲୁଚି ରହିଛନ୍ତି । ଗତ ମାସରେ ବିଭିନ୍ନ ରାଜ୍ୟରୁ ୩୦ ଜଣ ଠକ ଗିରଫ ହୋଇଥିବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି ।