ନଭେମ୍ବର ୧୬ରୁ ଆରମ୍ଭ ହେବ ଓଡ଼ିଶା ପୋଲିସ କନିଷ୍ଠ କିରାଣୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପୋଲିସରେ ଡିଷ୍ଟ୍ରିକ୍ଟ ପୋଲିସ ଅଫିସ (ଡିପିଓ) କ୍ୟାଡରରେ ପୂରଣ ହେବାକୁ ଥିବା କନିଷ୍ଠ କିରାଣୀ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୧୬ ତାରିଖରୁ ଜୁନିୟର କ୍ଲର୍କ ପଦର ପରୀକ୍ଷା ଆରମ୍ଭ ହେବ । ଏହି ପଦରେ ଆବେଦନ କରିଥିବା ପ୍ରାର୍ଥୀମାନେ ନଭେମ୍ବର ୧୨ ତାରିଖରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ନଭେମ୍ବର ୧୩ ତାରିଖ ଠାରୁ ୱେବସାଇଟରେ ମକ୍ ଟେଷ୍ଟ ଉପଲବ୍ଧ ହେବ । ପ୍ରାର୍ଥୀମାନେ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ୧୭୭ଟି ଜୁନିୟର କ୍ଲର୍କ ପଦ ପୂରଣ ପାଇଁ ଗତ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଅଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ଅକ୍ଟୋବର ୧୬ରୁ ୧୮ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ନିଜ ନିଜର ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିଥିଲେ । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଥିଲା । ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିଲା । ବୟସ କୋହଳ ଯୋଗ୍ୟତା ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇ ରହିଥିଲା ।