ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ୱଳ୍ପ ପେନ୍ସନ୍ଭୋଗୀ କର୍ମଚାରୀ ପୂର୍ଣ୍ଣ ପେନ୍ସନ୍ ନିମନ୍ତେ ବାରମ୍ବାର ସରକାରଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ତେଣୁ ଚକବନ୍ଦୀରେ କାର୍ଯ୍ୟକରିଥିବା ସମସ୍ତଙ୍କୁ ପୂର୍ଣ୍ଣ ପେନସନ ଦେବାକୁ ସରକାର ଯଥାଶୀଘ୍ର ନିଷ୍ପତ୍ତି ନିଅନ୍ତୁ । ଅନ୍ୟଥା ଆଗାମୀ ଦିନରେ ହଜାର ହଜାର ବୃଦ୍ଧ ଅବସରପ୍ରାପ୍ତ କର୍ମଚାରୀ ନବୀନ ନିବାସ ସମ୍ମୁଖରେ ଧାରଣା ଦେବେ ବୋଲି ଓଡ଼ିଶା ରାଜ୍ୟ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ୱଳ୍ପ ପେନସନ୍ଭୋଗୀ କର୍ମଚାରୀ ସଂଘ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ।
ଏହି ସମ୍ମୀଳନୀରେ ସଭାପତି ରାମଚନ୍ଦ୍ର ରଣା କହିଥିଲେ ଯେ ରାଜ୍ୟରେ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ୧୯୭୨-୭୩ ମସିହାରେ ଚକବନ୍ଦୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯୋଗ୍ୟତା ଭିତ୍ତିରେ ପରୀକ୍ଷା କରାଯାଇ, ବୈଷୟିକ କର୍ମଚାରୀ, ୪ର୍ଥ ଶ୍ରେଣୀ କର୍ମଚାରୀ ଓ କିରାଣୀମାନଙ୍କୁ ୩୦ ଏଚ୍ଆର ଜବ୍ କଣ୍ଟ୍ରାକ୍ଟ ଭାବେ ନିଯୁକ୍ତ ଦିଆଯାଇ ଚକବନ୍ଦୀ କାର୍ଯ୍ୟ କରାଯାଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୭୮ ମସିହାରେ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ଭାବେ ଘୋଷଣା କଲେ । ମାତ୍ର ତାହା କାର୍ଯ୍ୟକାରୀ ହେଲା ନାହିଁ । ତେଣୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ସିଭିଲ୍ ଏପିଏଲ ନଂ.୪୦୭/୯୩, ତା.୨୪.୦୪.୧୯୯୭ରେ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରିଶେଷରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସ୍ଥାୟୀ କଲେ । ମାତ୍ର ପରିତାପର ବିଷୟ ଏହିକି ଯେ ସେମାନଙ୍କୁ ପୂର୍ଣ୍ଣ ଚାକିରୀ ଗଣନା କରାନଯାଇ ସର୍ବନିମ୍ନ ପେନସନ୍ ଟ.୩୫୦୦/-ଟଙ୍କା ଧାର୍ଯ୍ୟ କରାଗଲା । ତେଣୁ କର୍ମଚାରୀମାନେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫୧୨ ଜଣଙ୍କୁ ପୂର୍ଣ୍ଣ ପେନସନ ଦେବା ସ୍ଥଳେ ଅନ୍ୟ କର୍ମଚାରୀମାନଙ୍କୁ କୋର୍ଟଙ୍କ ଆଦେଶ ସତ୍ତ୍ୱେ ତାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।
ବର୍ତ୍ତମାନ ଡ଼ିଭିଜନ ବେଞ୍ଚରେ କେସ୍ ନଂ.୧୯୭୭/୨୦୦୯, ଡ଼ବ୍ଲୁପିସି ୩୪୪୩/୨୦୧୯ ଓ ଡ଼ବ୍ଲୁପିସି ୨୧୬୧୧/୨୦୧୧ରେ ନିର୍ଦ୍ଦେଶ ଅଛି ଯେ ଆଇନ ସଂଶୋଧନ କରି ସମସ୍ତ କର୍ମଚାରୀଙ୍କୁ ପୂର୍ଣ୍ଣ ପେନସନ୍ ପ୍ରଦାନ କରାଯାଉ । ରାଜକିଶୋର ସ୍ବାଇଁଙ୍କ ଠA No.1977(C)/2009 ମୁତାବକ ସମସ୍ତ ଏକାପ୍ରକାର କର୍ମଚାରୀମାନଙ୍କୁ ପୂର୍ଣ୍ଣ ପେନସନ ଦେବାକୁ ଆଦେଶ ଦେଇଥିଲେ, ଉକ୍ତ ଆଦେଶ ବିରୁଦ୍ଧରେ ଓଡିଶା ସରକାରଙ୍କ W.P.(C) No./3443/19 ଓ ରିଭ୍ୟୁ କେସ No. 18/23 ଖାରଜ ହୋଇଅଛି, ଉକ୍ତ ଆଦେଶ ବିରୁଦ୍ଧରେ ସୁପ୍ରିମ କୋର୍ଟରେ Diary No.26764/23 ମଧ୍ୟ ଖାରଜ ହୋଇଅଛି । ମାତ୍ର ତାହା ନାଲିଫିତା ତଳେ ଅଦ୍ୟାବଧି ଚାପି ହୋଇରହିଅଛି । ଯାହା ଫଳରେ ଶହ ଶହ କର୍ମଚାରୀ ଔଷଧ ଖାଇବାକୁ ପଇସା ପାଉନାହାନ୍ତି ।
ଏହି ପରିପ୍ରେକ୍ଷୀରେ ସଂପାଦକ ହରମୋହନ ରାଉତ କହିଥିଲେ ଯେ ଜମିଜମା ନିର୍ଦ୍ଧାରଣ ପରି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ କର୍ମଚାରୀମାନେ ଆଜି ଦୈନ ଭାବେ ଜୀବନଯାପନ କରୁଛନ୍ତି । ସେମାନେ ପ୍ରସ୍ତୁତ କରିଥିବା ନକ୍ସା ଏବଂ ପଟ୍ଟା ଇତ୍ୟାଦି ସ୍ଥାୟୀ କିନ୍ତୁ ସେମାନଙ୍କ ଚାକିରୀ ଅସ୍ଥାୟୀ । ବର୍ତ୍ତମାନ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ମକଦ୍ଦମା ଉଚ୍ଚ ନ୍ୟାୟାଳୟରେ ଆଦେଶ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ତେଣୁ ସରକାର ଯଥାଶୀଘ୍ର ଆମ୍ଭମାନଙ୍କର ଦାବିକୁ ଗ୍ରହଣ କରିବା ସହ ଆନ୍ତରିକତା ସହ ଆମ ସମସ୍ୟାର ସମାଧାନ କଲେ ଆମେ ସରକାରଙ୍କ ନିକଟରେ ଉପକୃତ ହେବୁ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଦୁର୍ଯ୍ୟୋଧନ ଦାସ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, କ୍ଷେତ୍ରମୋହନ ପରିଜା, ପିତାମ୍ବର ହୋତା, ଜତିନ୍ ମହାନ୍ତି,ଅଶୋକ ମହାନ୍ତି,ଲକ୍ଷ୍ମୀଧର ସ୍ୱାଇଁ ସହ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।