ବଦଳିବ ପାଗ: ଆଜିଠୁ ହୋଇପାରେ କାଳବୈଶାଖୀ, ତାତିରୁ ମିଳିବ ଆଶ୍ବସ୍ତି

23 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ।

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟର ଅନେକ ଜିଲ୍ଲା ଜଳୁଥିବା ବେଳେ ଆଜିଠୁ ଟିକେ ମିଶିଳ ଆଶ୍ବସ୍ତି । ଆସନ୍ତା 5ଦିନ ପରେ ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏହା ଲାଗି ରହିବ ।

ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବ । ବଙ୍ଗୋପସାଗର ମଧ୍ୟରେ ଏକ ସକ୍ରିୟ ଗୁରୁଚାପ ବଳୟ ଓଡ଼ିଶା ଉପକୂଳସ୍ଥ ହେବା ସହିତ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ଆସିବ । ତେବେ ଆସନ୍ତା 5 ଦିନ ଯାଏଁ ବିଜୁଳି ଘ଼ଡ଼ଘଡ଼ି ସହିତ ବର୍ଷା ସହିତ କୁଆପଥର ବର୍ଷାର ମଧ୍ୟ ସମ୍ଭାବନା ରହିଛି ।

ତେବେ ଏହା ଦ୍ବାରା ଅନେକ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଥିବା କୁହାଯାଉଛି । ବିଶେଷକରି ଏହି ସମୟରେ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ନିରାପଦ ସ୍ଥାନରେ ରହିବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି କେନ୍ଦୁଝର ଏବଂ ମୟୁରଭଞ୍ଜରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ସେହପରି 20 ତାରିଖ ସକାଳୁ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଆଦି ସ୍ଥାନରେ ଝଡ଼ ବର୍ଷାର ଆଶଙ୍କା ରହିଥିବାକୁ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ତେବେ ଗତ କିଛି ଦିନ ହେବ ରାଜ୍ୟ ତାତଲା କଡେଇରେ ଭାଜି ହେଉଥିବା ବେଳେ ଆଜି କିଛି ମାତ୍ରାରେ ଆଶ୍ବସ୍ତି ମିଳିପାରେ ବୋଲି ଆଶଙ୍କା କରାଯାଉଛି ।