ନୂଆଦିଲ୍ଲୀ: ପିଆଜ ଦର ୧୦୦ ପାର୍ ହେବାକୁ ଅପେକ୍ଷା । କାରଣ ଦିନକୁ ଦିନ ଲୋକଙ୍କ ପିଆଜ ଖିଆ ବନ୍ଦ ହେଉଛି ପଛେ ଖାଦ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ପିଆଜର ଦର କମିବାର ନାଁ ନେଉନାହିଁ । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ଷ୍ଟଡି ମୁତାବକ ଆଗାମୀ ଦିନରେ ପିଆଜ ଦର ଆହୁରି ବଢ଼ିବ । କାରଣ ଭାରତୀୟ ବଜାରର ସ୍ଥିତି ବର୍ତ୍ତମାନ ଯେଉଁଭଳି ଅଛି ତାକୁ ଆକଳନ କଲେ, ପିଆଜ ଦର ଆଗାମୀ ଦିନରେ ଆହୁରି ବଢ଼ିବ । ନଭେମ୍ବର ମାସରେ କିଛି ପରିବା ଦରରେ ହ୍ରାସ ଘଟିଛି । କିନ୍ତୁ ପିଆଜ ରେଟ୍ ସ୍ଥିର ରହିଛି । ଏହାର ରେଟ୍ ଗ୍ରାଫ୍ କ୍ରମାଗତ ଉପରକୁ ଉଠୁଛି କିନ୍ତୁ ତଳକୁ ଖସୁନାହିଁ । ସେପ୍ଟେମ୍ବର ମାସରେ ବେଶୀ ବର୍ଷା ହେବା ଯୋଗୁ ପରିବାର ଦର ୨୮% କମିଥିବାବେଳେ ଟମାଟୋ ଦରରେ ସବୁଠୁ କମ୍ ଅର୍ଥାତ୍ ୪୯% ହ୍ରାସ ଦେଖିବାକୁ ମିଳିଛି ।
ବାର୍ଷିକ ଆଧାରରେ ଅକ୍ଟୋବର ମାସରେ ପରିବା ଦାମ୍ ୪୨% ବୃଦ୍ଧି ହୋଇଛି । ଯାହା ଗତ ୫୭ ମାସରେ ସର୍ବାଧିକ ବୋଲି ବିଷେଶଜ୍ଞମାନେ ମତ ପ୍ରକାଶ କରିଛନ୍ତି । ବାର୍ଷିକ ଆଧାରରେ ଟମାଟୋ ଦର ୧୬୧% ବୃଦ୍ଧି ହୋଇଥିବାବେଳେ ପିଆଜ ଓ ଆଳୁରେ ଯଥାକ୍ରମେ ୬୫% ଏବଂ ୫୨%ର ବୃଦ୍ଧି ଘଟିଛି । ଦେଶର ସବୁଠାରୁ ବୃହତ ମଣ୍ଡି ଲାସଲଗଞ୍ଜ କୃଷି ଉତ୍ପାଦ ସମିତିର ବେପାରୀଙ୍କ ଅନୁସାରେ ଗତ ୫ ବର୍ଷ ଭିତେରେ ପିଆଜର ଦାମ୍ ଚଳିତ ବର୍ଷ ସର୍ବାଧିକ ରହିଛି । ପରିବା ଦରଦାମ ବୃଦ୍ଧି ଖାଲି ଖାଉଟିଙ୍କୁ ଅସୁବିଧାରେ ପାକାଇଛି ତା’ ନୁହେଁ, ଏଥିଯୋଗୁ ଖୁଚୁରା ବ୍ୟବସାୟୀଙ୍କ ଲାଭରେ ମହଙ୍ଗା ମାଡ଼ ପଡ଼ିଛି । କାରଣ ସେମାନଙ୍କ ବେପାର ପୂର୍ବ ଅପେକ୍ଷା କମିଯାଇଛି । ବୃଦ୍ଧି ପାଇଥିବା ପରିବା ଦର ଯୋଗୁ ଖାଇଟି, ବ୍ୟବସାୟୀ ପ୍ରଭାବିତ ହେବା ସହ ଦେଶ ଅର୍ଥନୀତି ଉପରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡ଼ିବ ବୋଲି ସର୍ଭେରେ ଉଲ୍ଲେଖ କରାଯାଇଛି ।