fbpx

ଅଣସର ପିଣ୍ଡିରେ ଚାଲିଛି ଶ୍ରୀବିଗ୍ରହଙ୍କ ଗୁପ୍ତ ଉପଚାର, ମହାପ୍ରଭଙ୍କ ଓଷ ଲାଗି କରାଇଲେ ଦଇତାପତି ସେବ, ୩ ଦିନ ଧରି ଚାଲିବ

ପୁରୀ, (ଭାସ୍କର ନ୍ୟୁଜ୍‌) : ସ୍ନାନପୂର୍ଣ୍ଣିମାରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ ପରେ ଅଣସର ଘରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ଅଛନ୍ତି । ତାଙ୍କ ଜ୍ୱର ଉପଶମ ପାଇଁ ଦଇତା ସେବକଙ୍କ ଦ୍ୱାରା ଗୁପ୍ତ ସେବା ଚାଲୁ ରହିଛି । ରବିବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବା ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଛନ୍ତି । ତେବେ ସୋମବାର ଠାରୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରୋ ଓଷ ଲାଗି ହେବାର ବିଧି ରହିଛି । ସୋମବାର ମଧ୍ୟାହ୍ନ ପରେ ଶୁଦ୍ଧ ସୁଆରମାନେ ଝୁଣା, ତେଲ ଓ ବିଭିନ୍ନ ଚେରମୂଳିରେ ପ୍ରସ୍ତୁତ କରିଥିବା ଔଷଧକୁ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥିଲେ । ଏହି ଓଷ ଲାଗି ୩ ଦିନ ଧରି ଚାଲିବ । ଷଷ୍ଠୀ ଠାରୁ ନବମୀ ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ । ଫଳରେ ଶ୍ରୀଜୀଉ ଜ୍ୱରରୁ କିଛିଟା ଉପଶମ ପାଇବେ । ତେବେ ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ । ଅନ୍ୟପକ୍ଷରେ ରଥଖଳାରେ ରଥ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମହାରଣା ସେବକମାନେ ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ଜାରି ରଖିଛନ୍ତି ।

Get real time updates directly on you device, subscribe now.