fbpx

OSSSC ୱେବସାଇଟରେ ଆବେଦନ ସମସ୍ୟା: ସୋସିଆଲ ମିଡ଼ିଆରେ ଆସୁଛି ଅଭିଯୋଗ, ଆସିଲା ବିଭାଗୀୟ ସଚିବଙ୍କ ବୟାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆ ବର୍ଷ ପୂର୍ବରୁ ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଥିଲା । ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ୨୮୯୫ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ପ୍ରାର୍ଥୀଙ୍କୁ ଅମିନ, ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ), ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ), ଆଇସିଡିଏସ ସୁପରଭାଇଜର ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ଆଦି ପଦରେ ନିଯୁକ୍ତି ଦିଆଯିବ ।

ଡିସେମ୍ବର ମାସ ୩୦ ତାରିଖରୁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ୨୫ରେ ସମାପ୍ତ ହେବ । ଜାନୁଆରୀ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ସବମିସନ କରିପାରିବେ । ତେବେ ଏହା ମଧ୍ୟରେ ଓଏସଏସଏସସି ୱେବସାଇଟରେ ଅନଲାଇନ୍ ଆବେଦନ ନେଇ ସମସ୍ୟା ଦେଖାଦେଉଥିବା ଆବେଦନକାରୀମାନେ ଅଭିଯୋଗ କରିଛନ୍ତି । ଅଫିସିଆଲ ୱେବସାଇଟ୍ ସଠିକ୍ ଭାବେ କାର୍ଯ୍ୟ କରୁନାହିଁ ।

ବୈଷୟିକ କାରଣ ଦର୍ଶାଇ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୱେବସାଇଟରେ ଆବେଦନ ପ୍ରକ୍ରିୟାକୁ ସସପେଣ୍ଡ କରିଦିଆଯାଇଛି । ଏଥିସହିତ ସନ୍ଧ୍ୟା ୬ଟାରୁ ସକାଳ ୧୧ଟା ମଧ୍ୟରେ ଆବେଦନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଏନେଇ ବିଭାଗୀୟ ସଚିବଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ଏହି ସମସ୍ୟା ଆହୁରି ୧୫ ଦିନ ଲାଗି ରହିବ ବୋଲି ସେ କହିଛନ୍ତି । ତେବେ ଏହି ଆବେଦନର ଅନ୍ତିମ ତାରିଖ ଜାନୁଆରୀ ୨୫ ତାରିଖ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ଏହି ସୀମିତ ସମୟ ମଧ୍ୟରେ କିପରି ଆବେଦନ କରିବେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି ସମସ୍ୟା ନେଇ ଅନେକ ଆଶାୟୀ କାର୍ଯ୍ୟାଳୟକୁ ଆସୁଥିଲେ ହେଁ ନିରାଶ ହୋଇ ଫେରୁଛନ୍ତି । ସନ୍ଧ୍ୟା ୬ଟାରୁ ସକାଳ ୧୧ଟା ମଧ୍ୟରେ ଆବେଦନ କରିବାକୁ ଆଶାୟୀଙ୍କୁ ଉପଦେଶ ଦିଆଯାଇଥିଲେ ହେଁ ରାତି ସମୟରେ ମଧ୍ୟ ୱେବସାଇଟ୍ ଠିକରେ କାମ କରୁନଥିବା ଅଭିଯୋଗ ହୋଇଛି । ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ଆଶାୟୀମାନେ ଆବେଦନ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ଆଶାୟୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ଏହି ନିଯୁକ୍ତି ପାଇଁ ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ଆରଆଇ, ଏଆରଆଇ ଓ ଅମିନ ପାଇଁ ସର୍ବନିମ୍ନ ବୟସ ସୀମା ୨୦ ବର୍ଷ ରହିଥିବା ବେଳେ ଆଇସିଡିଏସ ସୁପରଭାଇଜର ଓ ଷ୍ଟାଟିଷ୍ଟିକାଲ ଫିଲ୍ଡ ସୁପରଭାଇଜର ପାଇଁ ୨୧ ବର୍ଷ ରହିଛି । ସମସ୍ତ ପଦ ପାଇଁ ସର୍ବାଧିକ ବୟସ ସୀମା ୩୮ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ଆରଆଇ ପାଇଁ ୫୫୯ଟି, ଆଇସିଡିଏସ ସୁପରଭାଇଜର (କେବଳ ମହିଳା) ପାଇଁ ୪୯୮ଟି, ଏଆରଆଇ ପାଇଁ ୮୨୭ଟି, ଅମିନ ପାଇଁ ୬୮୬ଟି ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ପାଇଁ ୩୨୫ଟି ପଦ ଖାଲି ରହିଛି । ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ ପ୍ରାକ୍ଟିକାଲ ଦକ୍ଷତା ଟେଷ୍ଟ ଏପରି ଭାବେ ୩ଟି ପର୍ଯ୍ୟାୟ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପଦ ସଂଖ୍ୟା ଅଲଗା ଅଲଗା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://www.osssc.gov.in/Public/Pages/Post_detail_information.aspx

ବିଜ୍ଞପ୍ତି ଲିଙ୍କ: https://www.osssc.gov.in/Docs/CRE-ADV-938.PDF

Get real time updates directly on you device, subscribe now.