ନୂଆଦିଲ୍ଲୀ: ବାଂଲାଦେଶରେ ଲଗାତାର ହିନ୍ଦୁମାନଙ୍କ ଉପରେ ଚାଲିଛି ଆକ୍ରମଣ । ଏହାକୁ ଭାରତର ବିଭିନ୍ନ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଉଛି । ସେପଟେ ତ୍ରିରଙ୍ଗା ପତାକାକୁ ଅପମାନ ଘଟଣା ସାରା ଭାରତରେ ବିରୋଧର ନିଆଁକୁ ବଢାଇ ଦେଇଛି । ଏହାର ପ୍ରଭାବ ଏବେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି । ତ୍ରିରଙ୍ଗାକୁ ହେଉଥିବା ଅପମାନର ପ୍ରତିଶୋଧ ନେବାକୁ ବାଂଲାଦେଶୀଙ୍କ ଚିକିତ୍ସା ଉପରେ ରୋକ ଲଗାଇଛନ୍ତି ପଶ୍ଚିମବଙ୍ଗ ଡାକ୍ତର । ପଶ୍ଚିମବଙ୍ଗରେ ଚିକିତ୍ସା ପାଇଁ ଏକ ବଡ଼ ସର୍ତ୍ତ ରଖିଛନ୍ତି ଡା. ଶେଖର ବନ୍ଦୋପାଧ୍ୟାୟ । ଭାରତର ଜାତୀୟ ପତାକାର ମର୍ଯ୍ୟାଦା ବଢାଇବା ପାଇଁ ସେ ବାଂଲାଦେଶୀକୁ ଚେତାବନୀ ଦେଇଛନ୍ତି ।
ନର୍ଥ ବେଙ୍ଗଲ ମେଡିକାଲ କଲେଜ ହସ୍ପିଟାଲରେ ଡା. ଶେଖର ବନ୍ଦୋପାଧ୍ୟାୟ ଇଏନଟି ବିଭାଗରେ ବିଶେଷ ଅଧିକାରୀ ଭାବରେ କାର୍ଯ୍ୟରତ ଅଛନ୍ତି । ସିଲିଗୁଡ଼ିରେ ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରି ଦେଇଛନ୍ତି ଡା. ଶେଖର ବନ୍ଦୋପାଧ୍ୟାୟ । ତେବେ ଯଦି ଚିକିତ୍ସା ଦରକାର, ଏଥିପାଇଁ ଡାକ୍ତରଙ୍କର ଏକ ସର୍ତ୍ତ ମାନିବାକୁ ପଡ଼ିବ । ପ୍ରକୃତରେ ଶେଖର ନିଜ ପ୍ରାଇଭେଟ କ୍ଲିନିକରେ ଏକ ତ୍ରିରଙ୍ଗା ପତାକା ଲଗାଇଛନ୍ତି । ଏହା ସହିତ ସେ ବାଂଲାଦେଶୀ ରୋଗୀଙ୍କ ପାଇଁ ଏକ ମେସେଜ ଲେଖିଛନ୍ତି । ଏହି ମେସେଜରେ ସେ ଲେଖିଛନ୍ତି ଯେ ଭାରତର ଜାତୀୟ ପତାକା ଆମ ମା’ ଭଳି । ଦୟାକରି ଭିତରକୁ ପ୍ରବେଶ କରିବା ପୂର୍ବରୁ ତ୍ରିରଙ୍ଗାକୁ ସମ୍ମାନ ଜଣାନ୍ତୁ । ବିଶେଷ କରି ଯେଉଁ ବାଂଲାଦେଶୀ ମାନେ ତ୍ରିରଙ୍ଗା ପତାକାକୁ ସଲାମ ନ କରିବେ, ସେମାନଙ୍କୁ ଭିତରକୁ ଆସିବାକୁ ଦିଆଯିବ ନାହିଁ ।
ସେ କହିଛନ୍ତି ଯେ, ବାଂଲାଦେଶରେ ତ୍ରିରଙ୍ଗାର ଅପମାନ ମୋତେ କଷ୍ଟ ଦେଉଛି । ଜଣେ ଡାକ୍ତର ଭାବରେ ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରିବାକୁ ଚାହେଁନାହିଁ । କିନ୍ତୁ ମୋ ଦେଶକୁ ଆସୁଥିବା ଲୋକମାନେ ଆମର ଜାତୀୟ ପତାକା ଏବଂ ମାତୃଭୂମିକୁ ସମ୍ମାନ ଦେବା ଉଚିତ୍ । ବାଂଲାଦେଶକୁ ତାଲିବାନୀ ସହ ତୁଳନା କରିଛନ୍ତି ଡା. ଶେଖର । ତେବେ ବୋଲପୁରରେ ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଅନ୍ୟ ଜଣେ ଡାକ୍ତର ଚନ୍ଦ୍ରନାଥ ଅଧିକାରୀ କହିଛନ୍ତି ଯେ, ହସ୍ପିଟାଲରେ କୌଣସି ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ସେ ମନା କରିପାରିବେ ନାହିଁ । କିନ୍ତୁ ନିଜ କ୍ଲିନିକରେ ଏପରି କରିବାକୁ ତାଙ୍କର ସ୍ୱାଧୀନତା ରହିଛି ।
ଶେଖରଙ୍କ ଭଳି କୋଲକାତା ଏବଂ ତ୍ରିପୁରାର ଅଗରତାଲାର ୨ଟି ହସ୍ପିଟାଲ ପକ୍ଷରୁ ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରାଯାଇଛି । ନଭେମ୍ବର ୨୯ ତାରିଖରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ନେଇ ବାଂଲାଦେଶୀ ବିଦେଶ ମନ୍ତ୍ରାଳୟ ମଧ୍ୟ ଆପତ୍ତି ଜାହିର କରିଥିଲା । ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷାର ଦାୟିତ୍ୱ ନେବା ପାଇଁ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଅନ୍ତରୀଣ ସରକାରଙ୍କୁ କହିଥିଲେ ।