ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଅନବରତ ଯୁଦ୍ଧ ଲାଗି ରହିଛି । ଲୋକମାନେ ନିଜ ଜୀବନ ରକ୍ଷା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଫେବୃଆରୀ ୨୪ ତାରିଖ ସକାଳରୁ ଲଗାତର ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଚାଲିଛି । ଯୁଦ୍ଧ ଥମିବାର ନାଁ ଧରୁନି । ରୁଷ ଆକ୍ରମଣରେ ଏବେ ସୁଦ୍ଧ ୩୫୨ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ରୁଷର ମଧ୍ୟ ଅନେକ ସେନା ମୃତ୍ୟୁବରଣ ଏବଂ ଆହତ ହୋଇଛନ୍ତି । ଗୋଟେ ପଟେ ଏହି ଯୁଦ୍ଧ କାରଣରୁ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟପଟେ ଧନୀ ମାନେ ବିପୁଳ କ୍ଷତି ସହୁଛନ୍ତି ।
ଏହି ଯୁଦ୍ଧର ସବୁଠାରୁ ବଡ଼ ପ୍ରଭାବ ରୁଷର ଧନୀକ ଶ୍ରେଣୀ ଅର୍ଥାତ୍ ଅରବପତି ମାନଙ୍କ ଉପରେ ପଡ଼ିଛି । ଯେଉଁ ସମୟରୁ ରାଷ୍ଟ୍ରପତି ଯୁଦ୍ଧ ଘୋଷଣା କରିଛନ୍ତି ସେହି ମୁହୂର୍ତ୍ତରୁ ଆମେରିକା ସମତେ ଅନେକ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ଫଳରେ ସେୟାର୍ ବଜାର ତଳକୁ ଖସିଆସିଛି ଓ ମାତ୍ର ଗୋଟିଏ ଦିନରେ ଅରବପତି ମାନେ ୩୯ ଅରବ ଡଲାର୍ (ପ୍ରାୟ ୩ ଲକ୍ଷ କୋଟି ଟଙ୍କା) କ୍ଷତି ସହିଛନ୍ତି । ଏନେଇ ଏକ ରିପୋର୍ଟରୁ ପ୍ରକାଶ ପାଇଛି ।
ଫୋର୍ବସ୍ ର ଏକ ରିପୋର୍ଟ ମୁତାବକ, ରୁଷ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ ଘୋଷଣା ହେବା ପରଠାରୁ ୧୧୬ ଅରବପତିଙ୍କର ୧୨୬ ଅରବ ଡଲାର୍ ରୁ ଅଧିକ କ୍ଷତି ସହିବାକୁ ପଡ଼ିଛି । ଗୁରୁବାର ଦିନ ଳରୁଷର ମୋଏକ୍ସ ଇଣ୍ଡେକ୍ସ ୩୩ ପ୍ରତିଶତରେ ବନ୍ଦ ହେବା ପରେ ପ୍ରାୟ ୭୧ ବିଲିୟନ୍ ଡଲାର୍ ସଫା ହୋଇଯାଇଛି ଓ ଡଲାର୍ ତୁଳନାରେ ରୁବଲ୍ ର ମୂଲ୍ୟ ଅନେକ ତଳକୁ ଖସିଆସିଛି ।
ରିପୋର୍ଟରୁ ପ୍ରକାଶ ଯେ, ରୁଷର କେମଲିନ୍ ର ସର୍ବନିମ୍ନ ୫ ଜଣ ଅରବପତି; ଅଲେପେରୋଭ୍, ମିନ୍ଲସନ୍, ମୋରଦାସୋଭ୍, ପୋଟାନିନ୍ ଏବଂ କେରିମୋଭ୍ ଗୁରୁବାର ଦିନ ସବୁଠାରୁ ଅଧିକ କ୍ଷତି ସହିଛନ୍ତି । ରୁଷର ୧୧ ଜଣ ଅରବପତି ଗୁରୁବାର ଦିନ ୧ ବିଲିୟନ୍ ଡଲାର୍ ରୁ ଅଧିକ ଟଙ୍କା ଜଣ ଜଣକା କ୍ଷତି ଉଠାଇଛନ୍ତି । ଅନ୍ୟପଟେ ରୁଷର ଅନେକ ବ୍ୟାଙ୍କ ଆକାଉଣ୍ଟ୍ ବି ଫ୍ରିଜ୍ କରିବା ଘୋଷଣା କରାଯାଇଛି । ଏହାସହିତ ରୁଷିୟ ନାଗରିକ ମାନେ ନିଜ ବ୍ୟାଙ୍କ ଆକାଉଣ୍ଟରେ ୬୬ ଡଲାର୍(୫୦,୦୦୦ ପାଉଣ୍ଡ)ରୁ ଅଧିକ ନିଜର ୟୁକେ ବ୍ୟାଙ୍କ ଆକାଉଣ୍ଟରେ ରଖିପାରିବେ ନାହିଁ ବୋଲି କୁହାଯାଇଛି ।