ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଗୁଜରାଟରେ ଚାଞ୍ଚଲ୍ୟ: ୫ ବର୍ଷରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ, NCRB ରିପୋର୍ଟରୁ ହେଲା ବଡ଼ ଖୁଲାସା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜରାଟରୁ ଗତ ୫ ବର୍ଷରେ ୪୦ ହଜାରରୁ ଅଧିକ ଯୁବତୀ ନିଖୋଜ ହୋଇଯାଇଛନ୍ତି। ଏଭଳି ଚାଞ୍ଚଲ୍ୟକର ଖବର ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟରୁ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ବର୍ଷ ୨୦୧୬ରେ ୭,୧୦୫, ବର୍ଷ ୨୦୧୭ରେ ୭୭୧୨, ବର୍ଷ ୨୦୧୮ରେ ୯,୨୪୬ ଏବଂ ବର୍ଷ ୨୦୧୯ରେ ୯୨୬୮ରେ ସେହିଭଳି ୨୦୨୦ରେ ୮,୨୯୦ ମହିଳା ନିଖୋଜ ହୋଇଛନ୍ତି ।
ବିଜେପି ଶାସିତ ଗୁଜରାଟ ସରକାର ୨୦୨୧ରେ ବିଧାନସଭାରେ ଦେଇଥିବା ବୟାନ ଅନୁଯାୟୀ ବର୍ଷ ୨୦୧୯-୨୦ ରେ କେବଳ ଅହମ୍ମଦାବାଦ ଏବଂ ଭଦୋଦରାରୁ ୪,୭୨୨ ମହିଳା ନିଖୋଜ ହୋଇଥିଲେ । ଗୁଜରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଜ୍ୟ ହୋଇଥିବାରୁ ଏହି ରିପୋର୍ଟ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଗୁଜରାଟରେ ଗତ ୨୫ ବର୍ଷ ହେଲା ବିଜେପି ସରକାର ରହିଛି ।
ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁସାରେ ରାଜ୍ୟର ପୁର୍ବତ୍ତନ ଆପିଏସ୍ ଅଧିକାରି ତଥା ମାନବକାଧୀକାର ଆୟୋଗ ସଦସ୍ୟ ସୁଧିର ସିହ୍ନା ନିଜ ଅଭିଜ୍ଞତାରୁ କୁହନ୍ତି ଯେ, ନିଖୋଜ ମାମଲାରେ ଯୁବତୀ ଏବଂ ମହିଳାମାନଙ୍କୁ କେବେ ଗୁଜରାଟ ବ୍ୟତିତ ଅନ୍ୟ ରାଜ୍ୟ ଗୁଡ଼ିକୁ ବେଶ୍ୟାବୃତ୍ତି ପାଇଁ ଜୋର ଜବରଦସ୍ତି ପଠାଇ ଦିଆଯାଇଥାଏ । ରାଜ୍ୟରେ ଏଭଳି ମାମଲା ହତ୍ୟାଠାରୁ ଗମ୍ଭୀର ହୋଇଥିବା ବେଳେ ପୋଲିସ ଏହାକୁ ଗମ୍ଭୀରତା ସହ ନେଉ ନଥିବାରୁ ସ୍ଥିତି ଏପରି ହୋଇଛି ବୋଲି ସେ କହିଛନ୍ତି ।
ଏହା ପଛରେ ଅନ୍ୟ ଏକ କାରଣ ହେଉଛି, ଯଦି କିଏ ହଜିଯାଉଛନ୍ତି ଅଭିଭାବକମାନେ ବର୍ଷ ବର୍ଷ ସେମାନଙ୍କ ପିଲା ଫେରି ଆସିବ ବୋଲି ଅପେକ୍ଷା କରନ୍ତି । ତେବେ ଏହି ମାମଲାର ତଦନ୍ତ ହତ୍ୟା ପରି ହତ୍ୟାପରି ଗମ୍ଭିରତାର ସହ ହେବା ଉଚିତ୍ । ତେବେ ରାଜ୍ୟରେ “ନିଖୋଜ ମାମଲାରେ ପୋଲିସ ଦ୍ୱାରା ଅବହେଳା କରାଯାଏ, କାରଣ ବ୍ରିଟିଶ ଯୁଗରେ ନିୟମ ଅନୁସାରେ ଦେଶରେ ଅନୁସନ୍ଧାନ କରାଯାଏ।”
ସେହିଭଳି ରାଜ୍ୟର ପୂର୍ବତନ ପୋଲିସ ମହାନିର୍ଦେଶକ ଡକ୍ଟର ରାଜନ ପ୍ରିୟଦର୍ଶୀ କହିଛନ୍ତି, ଯୁବତୀମାନଙ୍କର ନିଖୋଜ ପାଇଁ ମାନବ ଚାଲାଣ ଦାୟୀ। ‘ମୋର କାର୍ଯ୍ୟକାଳ ମଧ୍ୟରେ ମୁଁ ଦେଖିଛି ଯେ ନିଖୋଜ ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ମାନବ ଚାଲାଣରେ ନିୟୋଜିତ ଗ୍ୟାଙ୍ଗ ଦ୍ୱାରା ସେମାନଙ୍କୁ ଅନ୍ୟ ରାଜ୍ୟକୁ ନେଇ ବିକ୍ରୟ କରନ୍ତି।
ତେବେ ଏହି ମାମାଲାକୁ ନେଇ କଂଗ୍ରେସ ମୁଖପାତ୍ର ହିରେନ୍ ବେଙ୍କର ବିଜେପିକୁ ଟାର୍ଗେଟ୍ କରିଛନ୍ତି । ବିଜେପି ନେତା କେରଳରେ ମହିଳାଙ୍କ ବିଷୟରେ ଆଲୋଚନା କରୁଛନ୍ତି, ଯେତେବେଳେ କି ଖୋଦ ପ୍ରଦାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ରାଜ୍ୟରୁ ୪୦,୦୦୦ ରୁ ଅଧିକ ମହିଳା ନିଖୋଜ ଅଛନ୍ତି ।