fbpx

(Video) ଆଉ ନାହାନ୍ତି ଭୂଦାନ ଆନ୍ଦୋଳନର ଅନ୍ୟତମ ନାୟିକା ପଦ୍ମଶ୍ରୀ ଶାନ୍ତି ଦେବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ପଦ୍ମଶ୍ରୀ ଶାନ୍ତି ଦେବୀ । ଗତକାଲି ବିଳମ୍ବିତ ରାତ୍ରିରେ ଗୁଣୁପୁର ସ୍ଥିତ ବାସଭବନରେ ସେ ପରଲୋକ ଗମନ କରିଛନ୍ତି । ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ବୟସ ହୋଇଥିଲା । ଭୂଦାନ ଆନ୍ଦୋଳନର ଜନନାୟକ ବିନୋବା ଭାବେ ଓ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଦ୍ୱାରା ପ୍ରେରିତ ହୋଇ ସେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଜକୁ ସମର୍ପିତ କରିଦେଇଥିଲେ । ମାତ୍ର ୧୭ ବର୍ଷ ବୟସରୁ ସେ ସମାଜସେବାରେ ନିଜକୁ ବ୍ରତୀ ରଖିଥିଲେ ।

ରାୟଗଡ଼ା, ଗୁଣୁପୁର ଆଦି ସ୍ଥାନରେ ସେ ସେବା ସମାଜ ପ୍ରତିଷ୍ଠା କରି ଅନାଥ ଆଦିବାସୀ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରିଆସୁଥିଲେ । ପଦ୍ମଶ୍ରୀ ସହ ଜମୁନାଲାଲ ବଜାଜ୍ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଶାନ୍ତିଦେବୀ ହେଉଛନ୍ତି ବିଶିଷ୍ଟ ଗାନ୍ଧିବାସୀ ନେତା ସ୍ୱର୍ଗତ ଡ. ରତନ ଦାସଙ୍କର ଧର୍ମପତ୍ନୀ । ଅବିଭକ୍ତ କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସେ ଗତ ୭୦ ବର୍ଷ ଧରି ବିଭିନ୍ନ ପ୍ରକାର କଲ୍ୟାଣମୂଳକ କାର୍ଯ୍ୟ କରିଆସୁଥିଲେ । ସମାଜକୁ ଆଶାର ଆଲୋକ ପ୍ରଦାନ କରିବା ଯୋଗୁଁ ଗତବର୍ଷ ନଭେମ୍ବର ୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁ ରାଜନେତା, ପ୍ରଶାସକ, ଆତ୍ମୀୟସ୍ୱଜନ ଗଭୀର ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.