fbpx

ପାକିସ୍ତାନକୁ ମିଳିଲା ଫାଇନାଲ ଟିକେଟ: ନ୍ୟୁଜିଲାଣ୍ଡକୁ ହରାଇ ମାରିଲା ଦମଦାର ଏଣ୍ଟ୍ରି

ସିଡନୀ: ପୁଣିଥରେ ଭାଙ୍ଗିଯାଇଛି ବିଶ୍ୱକପର ସ୍ୱପ୍ନ । ଖୁବ ପାଖରୁ ହରାଇଛି ଟ୍ରଫି ହାତେଇବାର ଏକ ବଡ ସୁଯୋଗ । ଘମାଘୋଟ ଯୁଦ୍ଧ ପରେ ବି ନ୍ୟୁଜିଲାଣ୍ଡର ସାଥ ଦେଲାନି ଭାଗ୍ୟ । ଦଳକୁ ଏବେ ବିଶ୍ୱକପ ସେମି ଫାଇନାଲରୁ ଘରକୁ ଫେରିବାକୁ ପଡିବ । କାରଣ ନ୍ୟୁଜିଲାଣ୍ଡ ଦଳର ଫାଇନାଲ ଖେଳିବା ଆଶାକୁ ଚୁରମାର କରି ଦେଇଛି ପାକିସ୍ତାନ । ଏହି ପରାଜୟ ନ୍ୟୁଜିଲାଣ୍ଡର ୨୦୧୯ ବିଶ୍ୱକପ କ୍ଷତକୁ ଆହୁରି ତାଜା କରି ଦେଇଛି । ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୱିକେଟରେ ହରାଇ ପାକିସ୍ତାନ ଫାଇନାଲର ଗୋଲ୍ଡେନ ଟିକେଟ ହାସଲ କରିଛି ।

ନ୍ୟୁଜିଲାଣ୍ଡର ୧୫୩ ରନର ଲକ୍ଷ୍ୟକୁ ଖୁବ ସହଜରେ ହାସଲ କରି ନେଇଛି ପାକିସ୍ତାନ । ଅଧିନାୟକ ବାବର ଆଜମ ଏବଂ ସାଥୀ ମହମ୍ମଦ ରିଜୱାନ ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ ଛଡାଇ ନେଇଛନ୍ତି । ଧୂଆଁଦାର ଅର୍ଦ୍ଧଶତକ ହାସଲ କରି ଦଳକୁ ଫାଇନାଲରେ ପହଞ୍ଚାଇଛି ଓପନିଙ୍ଗ ଯୋଡି । ଏହି ମ୍ୟାଚରେ ନିଜ ପୁରୁଣା ଫର୍ମକୁ ଫେରିଛନ୍ତି ଅଧିନାୟକ ବାବର ଆଜମ୍ । ୪୨ ବଲରୁ ୭ଟି ଚୌକା ସହ ସେ ୫୩ ରନ୍ ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ମହମ୍ମଦ ରିଜୱାନ ମଧ୍ୟ ୪୩ ବଲରୁ ୫୭ ରନର ଦମଦାର ଇନିଂସ ଖେଳି ପାକିସ୍ତାନକୁ ଫାଇନାଲ ଟିକେଟ ଭେଟି ଦେଇଛନ୍ତି । ବାବରଙ୍କ ୱିକେଟ ପରେ ମହମ୍ମଦ ହାରିସଙ୍କ ସହ ମିଶି ରିଜୱାନ ପାଳି ଆଗକୁ ବଢାଇବେ ବେଳେ ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିଲେ ।

ଶେଷ ୭ ବଲରେ ପାକିସ୍ତାନକୁ ୨ ରନର ଆବଶ୍ୟକତା ରହିଥିବା ବେଳେ ମିଚେଲ ସାଣ୍ଟନର ମହମ୍ମଦ ହାରିସ ନିଜ ୱିକେଟ ହରାଇଥିଲେ । ଏହାପରେ ଟ୍ରେଣ୍ଟ ବୋଲ୍ଟ ଶେଷ ଓଭର ପକାଇବାକୁ ଆସିଥିବା ବେଳେ ପ୍ରଥମ ବଲ ୱାଇଡ ଏବଂ ଦ୍ୱିତୀୟ ବଲରେ ଏକ ରନ ଚୋରେଇ ନେଇଛନ୍ତି ଶାନ ମାସୁଦ । ଏହି ରନ ସହିତ ପାକିସ୍ତାନକୁ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଛି ।

ପାକିସ୍ତାନ ଫାଇନାଲରେ ପ୍ରବେଶ କରିବା ପରେ ଦ୍ୱିତୀୟ ସେମିଫାଇନାଲକୁ ନେଇ ଆଶା ଆହୁରି ବଢିଯାଇଛି । ଏହି ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇଟ ହେବାକୁ ଯାଉଛି । ତେବେ ଭାରତ ପାଇଁ ଏହି ମ୍ୟାଚରେ ବିଜୟୀ ହେଲେ ପୁଣିଥରେ ୨୦୦୭ ବିଶ୍ୱକପର ଝଲକ ଦେଖିପାରନ୍ତି ଦର୍ଶକ । ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ଏକ ଜବରଦସ୍ତ ଫାଇନାଲ ମ୍ୟାଚ ହେବା ନେଇ ଉତ୍ସାହ ଦେଖାଯାଇଛି ।

Get real time updates directly on you device, subscribe now.