fbpx

ଭାରତରେ ଟିଭି ଚ୍ୟାନେଲଗୁଡ଼ିକର ଅପଲିଙ୍କିଂ ଓ ଡାଉନଲିଙ୍କିଂ ପାଇଁ ନୂଆ ଗାଇଡଲାଇନକୁ କେନ୍ଦ୍ର ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ଟିଭି ଚ୍ୟାନେଲଗୁଡ଼ିକ ପାଇଁ ଅନୁପାଳନକୁ ସହଜ କରି ଅପଲିଙ୍କିଂ ଏବଂ ଡାଉନଲିଙ୍କିଂ ଗାଇଡଲାଇନ -୨୦୨୨ କୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଭାରତୀୟ ଟେଲିପୋର୍ଟ ବିଦେଶୀ ଚ୍ୟାନେଲଗୁଡିକୁ ଅପଲିଙ୍କ୍ କରିପାରିବ । ପୂର୍ବରୁ ଏହି ପ୍ରୋଗ୍ରାମଗୁଡ଼ିକର ଲାଇଭ୍ ଟେଲିକାଷ୍ଟ ପାଇଁ କୌଣସି ପୂର୍ବ ଅନୁମତି ନଥିଲା । ଅପଲିଙ୍କିଂ ଏବଂ ଡାଉନ ଲିଙ୍କିଙ୍ଗ ପାଇଁ ନିର୍ଦ୍ଦେଶାବଳୀ ଶେଷ ଥର ପାଇଁ ୨୦୧୧ ରେ ଜାରି କରାଯାଇଥିଲା ଏବଂ ସେଗୁଡ଼ିକର ସଂଶୋଧନ କରିବା ପାଇଁ ପ୍ରକ୍ରିୟା ଚାଲିଛି ।

ସୂଚନା ଏବଂ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି ଯେ, ପ୍ରାୟ ୧୧ ବର୍ଷ ପରେ ଆମେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛୁ । ଏଥିପାଇଁ ଆମେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମଧ୍ୟ ନେଇଛୁ । ଅପୂର୍ବ ଚନ୍ଦ୍ର କହିଛନ୍ତି, ‘ଜାତୀୟ ବ୍ୟବସ୍ଥା କିମ୍ବା ଜାତୀୟ ସ୍ୱାର୍ଥ ପାଇଁ ୩୦ ମିନିଟର ସ୍ଲଟ୍ ଦିଆଯିବା ଉଚିତ, କାରଣ ମହିଳା ସଶକ୍ତିକରଣ, କୃଷି, ଶିକ୍ଷାଦାନ ଭଳି ଏହି ୭-୮ ଥିମ୍ ପାଇଁ ଆମେ ଏକ ବ୍ୟବସ୍ଥା କରିଛୁ । ଆମେ ସମସ୍ତଙ୍କୁ ସମାନ ସୁଯୋଗ ଦେବାକୁ ଚେଷ୍ଟା କରିଛୁ ।’

ନିକଟରେ କେନ୍ଦ୍ର ସରକାର କହିଥିଲେ ଯେ, ଏହା ଏକ ମାସ ମଧ୍ୟରେ ସାଟେଲାଇଟ୍ ଟେଲିଭିଜନ ଚ୍ୟାନେଲଗୁଡ଼ିକର ‘ଅପଲିଙ୍କିଙ୍ଗ୍’ ନିୟନ୍ତ୍ରଣ-ମୁକ୍ତ କରିବ । ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଭାରତକୁ ‘ଅପଲିଙ୍କିଂ’ର ଏକ ପ୍ରମୁଖ କେନ୍ଦ୍ର କରିବା । ତେବେ ସାଟେଲାଇଟ୍ ଟେଲି ଯୋଗାଯୋଗରେ ଏକ ଅପ୍ ଲିଙ୍କ୍ ହେଉଛି ଏକ ଗ୍ରାଉଣ୍ଡ ଷ୍ଟେସନରୁ ଉପଗ୍ରହ ସହିତ ଏକ ଲିଙ୍କ୍ । ଅନ୍ୟ ପଟେ ଡାଉନ ଲିଙ୍କ୍ ହେଉଛି ଉପଗ୍ରହ ତଳେ ଏକ କିମ୍ବା ଅଧିକ ଗ୍ରାଉଣ୍ଡ ଷ୍ଟେସନ୍ ମଧ୍ୟରେ ଲିଙ୍କ୍ ।

ନିକଟରେ ସୂଚନା ଏବଂ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଦେଶର ୮୯୮ ଟେଲିଭିଜନ ପ୍ରସାରଣକାରୀଙ୍କ ମଧ୍ୟରୁ ୫୩୨ ଟି ଚ୍ୟାନେଲ ସେମାନଙ୍କ ସେବାକୁ ‘ଅପଲିଙ୍କିଂ’ ଏବଂ ‘ଡାଉନଲିଙ୍କିଂ’ ପାଇଁ ବିଦେଶୀ ଉପଗ୍ରହ ବ୍ୟବହାର କରନ୍ତି । ଆମେ ଉପଗ୍ରହର ଅପଲିଙ୍କଂକୁ ନିୟନ୍ତ୍ରଣ କରିବାକୁ ଚାହୁଁଛୁ, ଯାହା ଦ୍ୱାରା ଭାରତ ଏହି କ୍ଷେତ୍ରରେ ଏକ ହବ୍ ଭାବରେ ଉଭା ହୋଇପାରିବ । ସେ କହିଥିଲେ ଯେ, ଅପଲିଙ୍କିଂ ଏବଂ ଡାଉନଲିଙ୍କିଂ ନିର୍ଦ୍ଦେଶାବଳୀ ଶେଷ ଥର ପାଇଁ ୨୦୧୧ ରେ ଜାରି କରାଯାଇଥିଲା ଏବଂ ଏବେ ସେଗୁଡ଼ିକର ସଂଶୋଧନ ପ୍ରକ୍ରିୟା ଚାଲିଛି ।

Get real time updates directly on you device, subscribe now.