fbpx
BJD SKY
BJD SKY

ଭାରତ ପାଇଁ ପାକିସ୍ତାନର ସୁପର ପ୍ଲାନ୍: ଦମଦାର ବୋଲିଂ ଆଟାକ ସହ ଘୋଷଣା କଲା Playing-11

BJD

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ଏବେ ଦମଦାର ସ୍ଥିତିରେ ପହଞ୍ଚିଛି । ସୁପର-୪ ଷ୍ଟେଜରେ ଆସନ୍ତାକାଲି ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ତେବେ ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚକୁ ବର୍ଷା ଧୋଇ ନେଇଥିବା ବେଳେ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସୁପର-୪ ଷ୍ଟେଜର ଏହି ମହାମୁକାବିଲାରେ ମଧ୍ୟ ବର୍ଷାର ୯୦% ସମ୍ଭାବନା ଦେଖାଦେଇଛି । ତେବେ ଏହି ମ୍ୟାଚ ପାଇଁ ଏକ ରିଜର୍ଭ ଡେ’ ରଖାଯାଇଛି । ଏପଟେ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ନିଜର ପ୍ଲେଇଙ୍ଗ-୧୧ ଘୋଷଣା କରିଦେଇଛି ପାକିସ୍ତାନ ।

ପାକିସ୍ତାନ ବିପକ୍ଷ ସୁପର ଷ୍ଟେଜ ମୁକାବିଲା ପାଇଁ ଭାରତୀୟ ଦଳରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ । ତେବେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ଏବଂ କେଉଁ ଖେଳାଳି ସ୍ତାନ ହରାଇବେ ସେ ନେଇ ଆଲୋଚନା ଚାଲିଥିବା ବେଳେ ପାକିସ୍ତାନ ନିଜର ଦଳ ଘୋଷଣା କରିଛି । ଏହି ମ୍ୟାଚ ପୂର୍ବରୁ ପାକ୍ ଟିମରେ ପ୍ରଚୁର ଆତ୍ମବିଶ୍ୱାସ ଦେଖିବାକୁ ମିଳିଛି । ତେବେ ଭାରତକୁ ସାମ୍ନା କରିବା ପୂର୍ବରୁ ଦଳର ପେସ୍ ଆଟାକକୁ ଆହୁରି ମଜବୁତ କରିଛି ପାକିସ୍ତାନ । ଭାରତକୁ ରାଇବା ପାଇଁ ବାବର ଏକ ନୂଆ ପ୍ଲାନ ସହ କାଲି ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ୨ ତାରିଖ ମ୍ୟାଚରେ ୩ ଜଣ ପେସ ବୋଲରଙ୍କୁ ନେଇ ଓହ୍ଲାଇଥିବା ପାକିସ୍ତାନ ଆସନ୍ତାକାଲି ପାଇଁ ୪ ଜଣ ପେସ ବୋଲରଙ୍କୁ ବାଛିଛି । ମହମ୍ମଦ ନୱାଜଙ୍କ ସ୍ଥାନରେ ଫହୀମ ଅଶରଫଙ୍କୁ ଦଳରେ ସାମିଲ କରିଛନ୍ତି ଅଧିନାୟକ ବାବର ଆଜମ୍ । ସୁପର ଷ୍ଟେଜର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଫହୀମ ଅଶରଫଙ୍କୁ ଦଳରେ ସୁଯୋଗ ମିଳିଥିବା ବେଳେ ସେ ଗୋଟିଏ ସଫଳତା ହାସଲ କରିଥିଲେ । ତେବେ ଏହାପରେ ତାଙ୍କୁ ଭାରତୀୟ ଦଳ ବିପକ୍ଷରେ ଖେଳିବାର ସୁଯୋଗ ମିଳିଛି ।

ସେପଟେ ଜଶପ୍ରୀତ ବୁମରାହ ଏବଂ କେ.ଏଲ ରାହୁଲ ଦଳକୁ ଫେରିବା ପରେ ପ୍ଲେଇଙ୍ଗ-୧୧ କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ଭାରତ । ଶାମୀ ଏବଂ ଶାର୍ଦ୍ଦୁଳଙ୍କ ଭିତରୁ ଦଳରେ ଜଣଙ୍କୁ ଚୟନ କରିବା କାଠିକର ପାଠ ହୋଇଥିବା ବେଳେ ରାହୁଲଙ୍କ ଆଗମନରେ ଇଶାନ କିଶାନଙ୍କ ସ୍ଥାନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଇଶାନ କିଶାନ ପାକିସ୍ତାନ ବିପକ୍ଷ ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କରି ଦଳକୁ ବିପଦମୁକ୍ତ କରାଇଥିଲେ । ତେଣୁ ଶ୍ରେୟସ ଆୟରଙ୍କ ସ୍ଥାନରେ ରାହୁଲଙ୍କୁ ସୁଯୋଗ ଦେଇପାରନ୍ତି କୋଚ୍ ରାହୁଲ ଦ୍ରାବିଡ । ସେହିପରି ବୁମରାହଙ୍କ ପ୍ରତ୍ୟାବର୍ତ୍ତନରେ ଶାମୀ କିମ୍ବା ଶାର୍ଦ୍ଦୁଳ ଠାକୁରଙ୍କୁ ବାହାରକୁ ଯିବାକୁ ପଡ଼ିବ । ତେବେ ବ୍ୟାଟିଂ ଦକ୍ଷତା ପାଇଁ ଶାର୍ଦ୍ଦୁଳଙ୍କୁ ଦଳରେ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି ।

ପାକିସ୍ତାନର ପ୍ଲେଇଙ୍ଗ-୧୧: ବାବର ଆଜମ(ଅଧିନାୟକ), ଶାଦବ ଖାନ୍(ଉପଅଧିନାୟକ), ଫଖର ଜମାନ୍, ଇମାମ ଉଲ୍ ହକ୍, ସଲମାନ ଅଲୀ ଆଗା, ଇଫ୍ତିଖାର ଅହମ୍ମଦ, ମହମ୍ମଦ ରିଜୱାନ୍, ଫହୀମ ଅଶରଫ, ନସୀମ ଶାହ, ଶାହୀନ ଆଫ୍ରିଦି, ହାରିସ ରାଉଫ

ଭାରତର ସମ୍ଭାବ୍ୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର/ କେ.ଏଲ ରାହୁଲ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଜଶପ୍ରୀତ ବୁମରାହ, କୁଳଦୀପ ଯାଦବ, ମହମ୍ମଦ ସିରାଜ ।

Get real time updates directly on you device, subscribe now.