fbpx

ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଇଲେ ବଡ଼ ନିଷ୍ପତ୍ତି: ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବେ ଇମ୍ରାନ ଖାନ୍

ପାକିସ୍ତାନରେ ଚାଲିଥିବା ରାଜନୀତିକ ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଅନାସ୍ଥା ପ୍ରସ୍ତାବକୁ ଖାରଜକୁ ଅସମ୍ବିଧାନିକ ବୋଲି କହିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଏହା ସହ ସୁପ୍ରିମକୋର୍ଟ ନାସନାଲ ଆସେମ୍ବଲି ଭଙ୍ଗ ନିଷ୍ପତ୍ତିକୁ ମଧ୍ୟ ରଦ୍ଧ କରିଛନ୍ତି । କୋର୍ଟ ନିଷ୍ପତ୍ତିରେ କହିଛନ୍ତି ଯେ ଇମ୍ରାନ ଖାନଙ୍କୁ ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରିବାକୁ ହେବ । ୯ ଏପ୍ରିଲରେ ସଂସଦରେ ପୁଣି ଥରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବ । ସୁପ୍ରିମକୋର୍ଟ କହିଛନ୍ତି ଉପ ବାଚସ୍ପତିଙ୍କ ନିଷ୍ପତ୍ତି ଅସମ୍ବିଧାନିକ ଅଟେ, ଖାଲି ସେତିକି ନୁହେଁ କଡ଼ା ଭର୍ତ୍ସନା ମଧ୍ୟ କରିଛନ୍ତି ସୁପ୍ରିମକୋର୍ଟ ।

ନାସନାଲ ଆସେମ୍ବଲି ଭଙ୍ଗ ନିଷ୍ପତ୍ତି ରଦ୍ଧ ପରେ ଇମ୍ରାନ ଖାନ ପୁଣି ନିଜ ପଦକୁ ଆସିଯାଇଛନ୍ତି । ସୁପ୍ରମକୋର୍ଟ କହିଛନ୍ତି ପ୍ରଧାନମନ୍ତ୍ରୀ ସମ୍ବିଧାନ ସହ ପ୍ରତିବଦ୍ଧ, ଏଥିପାଇଁ ସେ ରାଷ୍ଟ୍ରପତିଙ୍କୁ ବିଧାନସଭାକୁ ଭଙ୍ଗ କରିବା ପାଇଁ ପରାମର୍ଶ ଦେଇପାରିବେ ନାହିଁ । ଇମ୍ରାନ୍ ଖାନ୍ ସମ୍ବିଧାନ ମାନିବାକୁ ବାଧ୍ୟ ବୋଲି କହିଛନ୍ତି କୋର୍ଟ । ଏହା ସହ କୋର୍ଟ କହିଛନ୍ତି ଯଦି ଅବିଶ୍ୱାସ ଭୋଟ ସଫଳ ହୁଏ ତେବେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ଦରକାର ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ କୋର୍ଟରୁମକୁ ସଂପୂର୍ଣ୍ଣ ଭାବରେ ଲକ କରାଯାଇଥିଲା । କୋର୍ଟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଆଉ କୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ଇମ୍ରାନ ଖାନଙ୍କୁ ଲାଗିଛି ବଡ଼ ଝଟକା ।

ସୂଚନାଯୋଗ୍ୟ, ପାକିସ୍ତାନରେ ବିରୋଧୀ ଇମ୍ରାନ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ । କିନ୍ତୁ ନାସନାଲ ଆସେମ୍ବଲି ରେ ଡେପୁଟୀ ସ୍ପିକର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ । ଏହା ପରେ ପରେ ଇମ୍ରାନ ସଂସଦ ଭଙ୍ଗ କରିବାକୁ ମଧ୍ୟ ସୁପାରିଶ କରିଥିଲେ ଏବଂ ରାଷ୍ଟ୍ରପତି ମଧ୍ୟ ଏହାକୁ ମଞ୍ଜୁର କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ ବିରୋଧୀ ମଧ୍ୟ ଡେପୁଟି ସ୍ପିକରଙ୍କ ନିଷ୍ପତ୍ତି ବିରୋଧରେ ଯାଚିକା ଦାୟର କରିଥିଲେ । ସୁପ୍ରିମକୋର୍ଟ ଶୁଣାଣି କରି କହିଥିଲେ ଯେ ଡେପୁଟି ସ୍ପିକରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅସମ୍ବିଧାନିକ ।

Get real time updates directly on you device, subscribe now.