୨୩ରେ ୪୫ ବୁଥ୍‌ରେ ସାନି ମତଦାନ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବାଧାପ୍ରାପ୍ତ ହୋଇଥିଲା ଭୋଟ ଗ୍ରହଣ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ ବୁଥ୍‌ରେ ହିଂସାକାଣ୍ଡ ଓ ଗଣ୍ଡଗୋଳ ଯୋଗୁଁ ଭୋଟ ଗ୍ରହଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବାରୁ ସେସବୁ ବୁଥ୍‌ ଗୁଡ଼ିକରେ ଆସନ୍ତା ୨୩ ତାରିଖରେ ସାନି ମତଦାନ କରିବା ନିମନ୍ତେ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ସୂଚନା ପ୍ରଦାନ କରିଛନ୍ତି ।

ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ୨୫ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ୨୩ ତାରିଖରେ ଏହିସବୁ ବୁଥ୍‌ଗୁଡ଼ିକରେ ସାନି ମତଦାନ ପାଇଁ ସ୍ଥିର କରାଯାଇଛି । ସେହିଦିନ ପୂର୍ବାହ୍ନ ୯ଟାରୁ ମତଦାନ ଆରମ୍ଭ କରାଯାଇ ଅପରାହ୍ନ ୩ଟାରେ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି । ଭୋଟ ଗ୍ରହଣ ଯେପରି ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୁଏ ସେନେଇ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସଚିବ ଶ୍ରୀ ସାହୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ହିଂସା ଓ ଗଣ୍ଡଗୋଳ ଯୋଗୁଁ ୪ଟି ଜିଲ୍ଳାର ମୋଟ ୨୫ଟି ବୁଥ୍‌ରେ ସାନି ମତଦାନ ନିମନ୍ତେ ଜିଲ୍ଲାପାଳମାନେ ପ୍ରସ୍ତାବ ରଖିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ସ୍ଥାନରେ ସାନି ମତଦାନ ପାଇଁ ଜିଲ୍ଲାପାଳମାନେ ପ୍ରସ୍ତାବ ଦେଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୨୫ଟି ବୁଥ୍‌ରେ ମତଦାନ ପ୍ର୍ରିକ୍ରିୟା ବାଧାପ୍ରାପ୍ତ ହୋଇଥିଲା ସେଥିମଧ୍ୟରୁ ଯାଜପୁର ଜିଲ୍ଲାର ୧୧ଟି ବୁଥ୍‌ ରହିଥିବାବେଳେ ପୁରୀ ଓ ଭଦ୍ରଖର ୫ଟି ଲେଖାଏଁ ବୁଥ୍‌ ଓ ଢେଙ୍କାନାଳର ୪ଟି ବୁଥ୍‌ ଥିବା କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି ।