fbpx

ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍‌, ମତାଧିକାର ସାବ୍ୟସ୍ତ କରିବେ ୧୧,୩୧,୭୨୭ ଭୋଟର; ବୁଥ୍‌ରେ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌):  ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୋଲିଂ ପାର୍ଟି ବୁଥ୍‌ ଗୁଡ଼ିକରେ ପହଞ୍ଚି ସାରିଛନ୍ତି । ଏହି ପର୍ଯ୍ୟାୟରେ ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ, ୧୨୫୪ ପଞ୍ଚାୟତ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ମୋଟ ୫୧,୩୧,୭୨୭ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ମୋଟ ୧୭,୦୮୯ ବୁଥ୍‌ ସ୍ଥାପନ କରାଯାଇଛି । ସେଥିମଧ୍ୟରୁ ୨,୫୬୩ ବୁଥ୍‌ ସମ୍ବେଦନଶୀଳ ରହିଛି । ତେବେ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତୃତୀୟ ପର୍ଯ୍ୟାୟ ପରି ଯେପରି କୌଣସି ବୁଥ୍‌ରେ ହିଂସାକାଣ୍ଡ ନଘଟେ ସେନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ବୁଥ୍‌ଗୁଡ଼ିକରେ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି ।ଏନେଇ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି ଯେ ଭୋଟ୍‌ ଗ୍ରହଣ ଯେପରି ଶାନ୍ତିଶୃଙ୍ଖଳାର ସହ ସମାପନ ହେବ ସେନେଇ କମିଶନଙ୍କ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଅନ୍ୟପକ୍ଷରେ ସେ କହିଥିଲେ ଭୋଟଗଣନା ବେଳେ ଲାଗିଥିବା କୋଭିଡ କଟକଣାକୁ ହଟାଇ ଦିଆଯାଇଛି । ୪୮ ଘଣ୍ଟା ପୂର୍ବରୁ ଆର୍‌ଟି-ପିସିଆର ଏବଂ ଆଣ୍ଟିଜେନ ଟେଷ୍ଟର ଆଉ ଆବଶ୍ୟକତା ନାହିଁ । କେବଳ ଥର୍ମାଲ ସ୍କ୍ରିିନିଂ କରି ଭିତରକୁ ଛଡ଼ାଯିବ । ଯେଉଁମାନଙ୍କର କରୋନା ଲକ୍ଷଣ ଦେଖାଯିବ ସେମାନଙ୍କୁ ଛଡ଼ାଯିବ ନାହିଁ । କରୋନା କଟକଣା କମିଥିବାରୁ ରାଜ୍ୟ ନିର୍ବାଚନ କମିଶନର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ସମୟରେ ଯାଜପୁର, ଗଞ୍ଜାମ ଓ ଭଦ୍ରଖରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । କେଉଁଠି ବୁଥ୍‌ କ୍ୟାପ୍‌ଚରିଂ କରାଯାଉଥିଲା ତ ଆଉ କେଉଁଠି ଭୋଟ ବାକ୍ସକୁ ଦୁର୍ବୃତ୍ତମାନେ ଉଠାଇନେଇ ପୋଖରୀରେ ଫିଙ୍ଗି ଦେଉଥିଲେ । ପୁଣି କେଉଁଠି ପୋଲିସ ଅଧିକାରୀଙ୍କ ଉପରକୁ ଟେକାପଥର ମାଡ଼ କରାଯାଉଥିଲା ତ ଆଉ କେଉଁଠି କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇ ଲହୁଲୁହାଣ କରାଯାଉଥିଲା । ଏହି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯିବା ପରେ ଦୁର୍ବୃତ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏଭଳି ଅଘଟଣ ଆଉ ଦୁଇ ପର୍ଯ୍ୟାୟରେ ଯେପରି ନଘଟେ ସେନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Get real time updates directly on you device, subscribe now.