ଦୂର ହେବ ପାର୍କିଂ ସମସ୍ୟା, କମ ସ୍ଥାନରେ ବି ଅଧିକ ଗାଡି ହୋଇପାରିବ ପାର୍କିଂ

ଆରମ୍ଭ ହେବାକୁ ଯାଉଛି ପଜଲ୍ ପାର୍କିଂ

ଉତ୍ତରପ୍ରଦେଶ: ଦିନକୁ ଦିନ ବଢ଼ିବାରେ ଲାଗିଛି ପାର୍କିଂ ସମସ୍ୟା। କମ ସ୍ଥାନରେ ଅଧିକ ଯାନବାହାନ ପାର୍କିଂ କରିବା ସମ୍ଭବପର ହେଉନାହିଁ। ସେଥିପାଇଁ ନୋଏଡାରେ ପଜଲ୍ ପାର୍କିଂ ସିଷ୍ଟମ୍ କାର୍ଯ୍ୟକାରୀ ହେବାକୁ ଯାଉଛି। ଯେଉଁଥିରେ ନୋଏଡାର ଲୋକମାନେ ପାର୍କିଂ ସମସ୍ୟାରୁ ମୁକ୍ତି ପାଇବେ।

ସହରର ପ୍ରଥମ ପଜଲ୍ ପାର୍କିଂ ନୋଏଡା ସେକ୍ଟର 63ରେ ତିଆରି କରାଯିବ। ଏଥିପାଇଁ ପ୍ରକଳ୍ପକୁ ଅନୁମୋଦନ ମଧ୍ୟ ମିଳିସାରିଛି। ଏହି ପଜଲ୍ ପାର୍କିଂ ଚାରି ମହଲା ବିଶିଷ୍ଟ ହେବ, ଯେଉଁଥିରେ ଯାନବାହନକୁ ଉପର ତଳ କରିବା ପାଇଁ ହାଇଡ୍ରୋଲିକ୍ ପ୍ଲାଟଫର୍ମର ବ୍ୟବହାର କରାଯିବ।

ନୋଏଡା ସେକ୍ଟର 63ରେ ଆରମ୍ଭ ହେବାକୁ ଯାଉଥିବା ପଜଲ୍ ପାର୍କିଂରେ ଏକକାଳୀନ 150 ଟି ଗାଡ଼ି ପାର୍କିଂ କରାଯାଇପାରିବ। ଏହା ଏକ ଶିଳ୍ପ କ୍ଷେତ୍ର ହୋଇଥିବାରୁ ଏଠାରେ ଅନେକ କମ୍ପାନୀ ଅଛି। କିନ୍ତୁ ସେମାନଙ୍କ ପାଇଁ କୌଣସି ପାର୍କିଂ ସୁବିଧା ନାହିଁ।

ଏପରି ପରିସ୍ଥିତିରେ, କମ୍ପାନୀଗୁଡିକ ସାମ୍ନାରେ ଗାଡ଼ି ପାର୍କିଂ କରାଯାଇଥାଏ, ଯାହାଫଳରେ ରାସ୍ତା ଜାମ୍ ହୋଇଯାଏ। କିନ୍ତୁ ଆଉ ସେସବୁର ଅସୁବିଧା ହେବ ନାହିଁ। ପଜଲ୍ ପାର୍କିଂ ପରେ, ଲୋକଙ୍କ ପାଇଁ ଏଠାରେ ପାର୍କିଂ କରିବା ସହଜ ହେବା ସହ ଜାମ୍ ରୁ ମଧ୍ୟ ମୁକ୍ତି ମିଳିବ।

ଏହାର ନିର୍ମାଣ କାର୍ଯ୍ୟ 800 ବର୍ଗ ମିଟର ଅଞ୍ଚଳରେ କରାଯିବ। ଯାହାପାଇଁ ଖର୍ଚ୍ଚ ହେବ 29 କୋଟି ଟଙ୍କା। ନୋଏଡା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏହି ପାର୍କିଂ G-BLOCK ର ପାର୍କ ପାଖରେ ଥିବା ଖାଲି ସ୍ଥାନରେ ନିର୍ମାଣ କରାଯିବ।

ପାର୍କିଂ ସମ୍ମୁଖରେ ଏବଂ ଉଭୟ ପାର୍ଶ୍ୱରେ ହୋର୍ଡିଂ ଲଗାଇବା ପାଇଁ ସ୍ଥାନ ଛଡାଯିବ। ଏହା ସହିତ, ପାର୍କିଂର ଉଭୟ ପାର୍ଶ୍ୱରେ ପାଦରେ ଚାଲିବା ପାଇଁ ରାସ୍ତା ନିର୍ମାଣ କରାଯିବ। ବର୍ତ୍ତମାନ ଏହି ପାର୍କିଂ ନିର୍ମାଣ ପାଇଁ ଏଜେନ୍ସି ଚୟନ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ।

ପଜଲ୍ ପାର୍କିଂ କ’ଣ?

ଏହି ପାର୍କିଂରେ କମ୍ ଜାଗାରେ ଅଧିକ ଗାଡି ପାର୍କିଂ କରାଯାଏ। ଏହି ପାର୍କିଂ ସିଷ୍ଟମ୍ କମ୍ ଜାଗା ଥିବା ସ୍ଥାନରେ ବହୁତ ଉପଯୋଗୀ। ଏଥିରେ, ଗାଡ଼ିଗୁଡ଼ିକୁ ଗୋଟିଏ ଉପରେ ଆଉ ଗୋଟିଏ ପାର୍କିଂ କରାଯାଇପାରିବ। ନୋଏଡାର ସେକ୍ଟର 63 ସହିତ ସେକ୍ଟର 6 ଏବଂ 125 ରେ ପଜଲ୍ ପାର୍କିଂର ବ୍ୟବସ୍ଥା ମଧ୍ୟ କରାଯିବ। ଦିଲ୍ଲୀର ଅନେକ ଅଞ୍ଚଳରେ ପଜଲ୍ ପାର୍କିଂ ପୂର୍ବରୁ ଉପଲବ୍ଧ। ଯେଉଁଥିରେ ଲାଜପତ ନଗର, ଚାନ୍ଦନୀ ଚୌକ ଭଳି ଅଞ୍ଚଳ ଅନ୍ତର୍ଭୁକ୍ତ।