fbpx

OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ୧୩୭୫ଟି PGT ପଦର ଅନଲାଇନ୍ ଆବେଦନ ଅବଧି ବୃଦ୍ଧି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୩୭୫ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦ ପୂରଣ ପାଇଁ ଗତ ଜାନୁଆରୀ ୩୧ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ମାର୍ଚ୍ଚ ୨ ଶେଷ ତାରିଖ ରହିଥିଲା । ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ୧୦୬ଟି ଅପଗ୍ରେଡେଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ଗଣଶିକ୍ଷା ବିଭାଗ ଅଧିନରେ ଏହି ନିଯୁକ୍ତି ଦିଆଯିବ । ଏହା ମଧ୍ୟରେ ପିଜିଟି ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ପୂର୍ବରୁ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨ ରହିଥିବା ବେଳେ ଏବେ ତାହା ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ମୋଟ ୧୩୭୫ଟି ପଦ ଖାଲି ଥିବା ବେଳେ ପ୍ରାର୍ଥୀଙ୍କୁ ୨୩ଟି ବିଷୟରେ ନିଯୁକ୍ତି ଦିଆଯିବ । ଆନଥ୍ରୋପୋଲୋଜି, ଉଦ୍ଭିଦ ବିଜ୍ଞାନ, କମର୍ସ, କେମିଷ୍ଟ୍ରି, ଏଜୁକେସନ, ଇଂରାଜୀ, ଅର୍ଥନୀତି, ଭୂଗୋଳ, ଭୂବିଜ୍ଞାନ, ହିନ୍ଦି, ଇତିହାସ, ହୋମ ସାଇନ୍ସ, ଲଜିକ / ଫିଲୋସଫି, ଓଡ଼ିଆ, ଗଣିତ, ଫିଜିକ୍ସ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ସଂସ୍କୃତି, ସାମାଜିକ ବିଜ୍ଞାନ, ପରିସଂଖ୍ୟାନ, ପ୍ରାଣୀ ବିଜ୍ଞାନ, ଉର୍ଦ୍ଦୁ ଆଦି ବିଷୟରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।

ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ ଯୋଗ୍ୟତା ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ପ୍ରାର୍ଥୀ ପ୍ରାସଙ୍ଗିକ ବିଷୟରେ ମାଷ୍ଟର ଡିଗ୍ରୀ ସହିତ ଅତିକମରେ ୫୦ ପ୍ରତିଶତ ମାର୍କ ରଖିଥିବେ । ଏଥିସହିତ ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟୁ ବି.ଏଡ ପାସ୍ କରିଥିବେ । ଲିଖିତ, ପରୀକ୍ଷା, ବ୍ୟକ୍ତିତ୍ୱ ଟେଷ୍ଟ ଓ ସାକ୍ଷାତକାର ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ୟୁଆର, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ପ୍ରାର୍ଥୀ ଓଡ଼ିଆ ଭାଷା ଲେଖିବା, କହିବା ଓ ପଢ଼ିବା ଜାଣିଥିବେ ।

Get real time updates directly on you device, subscribe now.