fbpx

୨୦୦୦ଟଙ୍କାର ନୋଟ ଉପରେ ପ୍ରତିବନ୍ଧକ ଲଗାନ୍ତୁ; ସଂସଦରେ ବିଜେପି ନେତା କଲେ ଏଭଳି ଦାବି

ନୂଆଦିଲ୍ଲୀ: ଅପରାଧିକ କାର୍ଯ୍ୟକଳାପ ଏବଂ ବେଆଇନ ବାଣିଜ୍ୟରେ ୨୦୦୦ ଟଙ୍କିଆ ନୋଟର ବହୁଳ ବ୍ୟବହାର ହେଉଥିବାରୁ ସରକାର ଏହାର ବ୍ୟବହାରକୁ ବନ୍ଦ କରିବା ପାଇଁ ରାଜ୍ୟସଭାରେ ବିଜେପିର ଜଣେ ସାଂସଦ ଦାବି କରିଛନ୍ତି । ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ କୁମାର ମୋଦୀ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ବଜାରରେ ଗୋଲାପୀ ରଙ୍ଗର ୨୦୦୦ ଟଙ୍କିଆ ନୋଟ ଦେଖିବାକୁ ଆଉ ମିଳୁନାହିଁ । ଏଟିଏମରେ ମଧ୍ୟ ଏହି ନୋଟ ବାହାରୁ ନାହିଁ ଏବଂ ଏହା ଆଉ ବୈଧ ନୁହେଁ ବୋଲି ଶୁଣିବାକୁ ମିଳୁଛି । ଏହି ପରିସ୍ଥିତି ବିଷୟରେ ସ୍ପଷ୍ଟ ସୂଚନା ଦେବା ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

୮ନଭେମ୍ବର ୨୦୧୬ ରେ ମୋଦୀ ସରକାର ବିମୁଦ୍ରୀକରଣ ବିିଷୟରେ ଘୋଷଣା କରିଥିଲେ । ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ବେଆଇନ ଘୋଷଣା କରାଯାଇ ଏହାର ବ୍ୟବହାରକୁ ବନ୍ଦ କରାଯାଇଥିଲା । କିଛି ଦିନ ପରେ ସରକାର ୫୦୦ ଏବଂ ୧୦୦୦ଟଙ୍କା ସ୍ଥାନରେ ୫୦୦ ଟଙ୍କା ଏବଂ ୨୦୦୦ ଟଙ୍କାର ନୂଆ ନୋଟ ଜାରି କରିଥିଲେ । ମୋଦୀ ଦାବି କରିଛନ୍ତି ଯେ ଗତ ତିନିବର୍ଷ ଧରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୦୦ ଟଙ୍କିଆ ନୋଟ ଛାପିବା ବନ୍ଦ କରିଦେଇଛି ଏବଂ ବହୁ ସଂଖ୍ୟକ ନକଲି ୨୦୦୦ ଟଙ୍କିଆ ନୋଟ ମଧ୍ୟ ଜବତ କରାଯାଇଛି ।

ମୋଦୀ ଏହା ମଧ୍ୟ କହିଛନ୍ତି ଲୋକମାନେ ୨୦୦୦ ଟଙ୍କିଆ ନୋଟକୁ ବହୁ ପରିମାଣରେ ଜମା କରିଛନ୍ତି । ଏହା କେବଳ ବେଆଇନ ବାଣିଜ୍ୟରେ ବ୍ୟବହୃତ ହେଉଛି । ସେ କହିଛନ୍ତି ଯେ ଏହି ନୋଟଗୁଡିକ ନିଶା କାରବାର, ମନି ଲଣ୍ଡରିଂ ଏବଂ ଆତଙ୍କବାଦର ଆର୍ôଥକ କାରବାର ସମେତ ଅନେକ ଅପରାଧମୂଳକ କାର୍ଯ୍ୟରେ ବ୍ୟବହାର କରାଯାଉଛି । ମୋଦୀ କହିଛନ୍ତି ଯେ ବିଶ୍ୱର ସମସ୍ତ ଆଧୁନିକ ଅର୍ଥନୀତିରେ ବଡ ନୋଟଗୁଡିକର ପ୍ରଚାର ପ୍ରସାର ବନ୍ଦ ହୋଇଯାଇଛି । ସେ କହିଛନ୍ତି ଯେ ଆମେରିକାରେ ସର୍ବାଧିକ ୧୦୦ ଡଲାର ରହିଛି ଏବଂ ସେଠାରେ ୧୦୦୦ ଡଲାରର ମଧ୍ୟ କୌଣସି ନୋଟ ନାହିଁ ।

ସେ କହିଛନ୍ତି ଯେ ଚୀନ, କାନାଡା, ଅଷ୍ଟ୍ରେଲିଆ ଏବଂ ୟୁରୋପୀୟ ୟୁନିଅନରେ ମଧ୍ୟ ନୋଟର ସର୍ବାଧିକ ମୂଲ୍ୟ ମାତ୍ର ୨୦୦ ପର୍ଯ୍ୟନ୍ତ ରହିଛି । ବିହାରର ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି ଯେ କେବଳ ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଦେଶରେ ୫୦୦୦ ଟଙ୍କିଆ ନୋଟ ଥିବାବେଳେ ଇଣ୍ଡୋନେସିଆରେ ୧ ଲକ୍ଷ ଟଙ୍କାର ନୋଟ ରହିଛି । ସେ କହିଛନ୍ତି ଯେ, ଭାରତରେ ୨୦୦୦ ଟଙ୍କିଆ ନୋଟ ବ୍ୟବହାର କରିବାର କୌଣସି ଅର୍ଥ ନାହିଁ । ବର୍ତ୍ତମାନ ସରକାର ଡିଜିଟାଲ କାରବାରକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି । ସେଥିପାଇଁ ୨୦୦୦ ଟଙ୍କାର ନୋଟ ଧୀରେ ଧୀରେ ବନ୍ଦ କରାଯିବା ପାଇଁ ସେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ଜନସାଧାରଣଙ୍କୁ ସରକାର ଏକ ସୁଯୋଗ ଦେବା ଉଚିତ ବୋଲି ସେ ଦାବି କରିଛନ୍ତି ଯାହା ଦ୍ୱାରା ସେମାନେ ୨୦୦୦ ଟଙ୍କିଆ ନୋଟକୁ ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ଅନ୍ୟ ନୋଟ ସହିତ ବଦଳାଇ ପାରିବେ । ସେ କହିଛନ୍ତି ଯେ, ୨୦୦୦ ଟଙ୍କାର ନୋଟ ଅର୍ଥ ‘ବ୍ଲାକ ମନି’ । ଏହି ‘ବ୍ଲାକ ମନି’ ଉପରେ ପ୍ରତିବନ୍ଧକ ଲଗାଯିବାକୁ ହେଲେ ୨୦୦୦ ଟଙ୍କା ନୋଟ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ।

 

Get real time updates directly on you device, subscribe now.