fbpx

ଆଜି ପିିପିଲି ଉପନିର୍ବାଚନ, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୯ ହଜାର ୮୮୯ ଭୋଟର୍

୧୭୫ ବୁଥ୍‌ରେ ୱେବ କାଷ୍ଟିଂ ସହ ୧୨ଟି ବୁଥ୍‌ରେ ଭିଡିଓଗ୍ରାଫି କରାଯିବ

ପିିପିଲି (ଭାସ୍କର ନ୍ୟୁଜ୍‌): ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜି ସକାଳ ୭ଟାରୁ ପିିପିଲି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହେବ । ନୂଆ ବିଧାୟକ ବାଛିବେ ପିିପିଲିବାସୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାତାମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିବେ । ସବୁ ବୁଥ୍‌ରେ ପୁଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ଏହି ଉପନିର୍ବାଚନରେ ମୋଟ ୨ଲକ୍ଷ ୨୯ହଜାର ୮୮୯ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

ଚଳିତ ଥର ୨୩ଟି ବୁଥରେ ମାଇକ୍ରୋ ଅବଜରଭର ରହିଥିବା ବେଳେ ୧୨ଟି ବୁଥ୍‌ରେ ଭିଡିଓଗ୍ରାଫି କରାଯିବ । ଏହା ପୂର୍ବରୁ ଜିଲ୍ଲାପାଳ ସବୁ ବ୍ୟବସ୍ଥାର ଯାଞ୍ଚ କରିଥିବା ବେଳେ ଆଇନ୍‌ ଶୃଙ୍ଖଳା ସ୍ଥିତି ନେଇ ପୁରୀ ଏସ୍‌ପି ସମୀକ୍ଷା କରିଛନ୍ତି । ମୋଟ ୩୮୪ଟି ବୁଥ୍‌ ମଧ୍ୟରୁ ୨୦୧ ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି । ଏଥିମଧ୍ୟରୁ ୧୭୫ ବୁଥ୍‌ରେ ୱେବ କାଷ୍ଟିଂ ହେବ । ସବୁ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଓ ବିଏଲ୍‌ଓ ପହଞ୍ଚି ଇଭିଏମ୍‌, ଭିଭିପାଟ୍‌ ଓ ନିର୍ବାଚନୀ ଦସ୍ତାବିଜର ଯାଞ୍ଚ କରିଛନ୍ତି । ଭୋର ୫ଟା ୩୦ରେ ସମସ୍ତ ରାଜନୈତିକ ଦଳର ଏଜେଣ୍ଟଙ୍କ ଆଗରେ ଇଭିଏମ୍‌, ଭିଭିପାଟ୍‌ ଖୋଲାଯାଇ ପ୍ରଥମେ ମକ୍‌ ଭୋଟିଂ ହେବ । ଚିହ୍ନଟ ହୋଇଥିବା ୨୦୧ ସମ୍ବେଦନଶୀଳ ବୁଥ୍‌ ମଧ୍ୟରୁ ୧୭୫ ବୁଥ୍‌ରେ ୱେବ କାଷ୍ଟିଂ ହେବ । ସୁରକ୍ଷା ଦୃଷ୍ଟିରୁ ୧୦ଟି ସ୍ଥାନରେ ନାକାବନ୍ଦୀ ଓ ଚେକପୋଷ୍ଟ କରାଯାଇଛି ।

ଏଥିରେ ୩୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ରାଙ୍କର ଅଫିସର ସହ ୩୦ ସେକ୍ସନ୍‌ ଫୋର୍ସ ନିୟୋଜିତ ହୋଇଛନ୍ତି । ପିିପିଲି, ଡେଲାଙ୍ଗ, ବଳଙ୍ଗା ଓ ସତ୍ୟବାଦୀ ଥାନା ଅଞ୍ଚଳରେ ୬ ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସହ ୧୫ ସେକ୍ସନ୍‌ ଫୋର୍ସକୁ ନେଇ କ୍ୟୁଆରଟି ଗଠନ ହୋଇଛି । ୩୨ଟି ମୋବାଇଲ୍‌ ପାର୍ଟି ମଧ୍ୟ ମୁତୟନ ହୋଇଛନ୍ତି । ୬ଟି ଫ୍ଲାଇଂ ସ୍କ୍ୱାଡ୍‌ ଗଠନ କରାଯାଇଛି । ମତଦାତାମାନେ ଭୋଟଦାନ ସମୟରେ ଭୋଟରକାର୍ଡ ସହ ୧୧ଟି ଅନ୍ୟ ପ୍ରମାଣପତ୍ରକୁ ବ୍ୟବହାର କରିପାରିବେ । ମତଦାନ ଲାଗି ୨୨ଶହ ପୁଲିଂ ପର୍ସନାଲଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ମତଦାନ ଯେପରି ସୁରୁଖୁରୁରେ ସମାପନ ହୋଇପାରିବ ସେନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଜ୍ୟ ପୋଲିସର ୨ହଜାର ପୋଲିସ, ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ୩୨ଟି ମୋବାଇଲ ପାର୍ଟି ଆଇନ୍‌ ଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ।

ପ୍ରତି ବୁଥ୍‌ରେ ହଜାରେ ଭୋଟରଙ୍କ ମତଦାନ ଲାଗି ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର ଲାଗି ନିର୍ଦ୍ଦେଶ ଦିଆଯାଇଛି । ଭୋଟରଙ୍କ ଲାଗି ମାସ୍କ ଓ ହ୍ୟାଣ୍ଡ୍‌ ଗ୍ଲୋବ୍‌ସର ମଧ୍ୟ ବ୍ୟବସ୍ଥା କରାଯାଇଛି । କରୋନା କାଳରେ ନିର୍ବାଚନ ହେଉଥିବାରୁ ଅନେକ ଦିଗ ଉପରେ ଦୃଷ୍ଟି ଦିଆଯାଇ ପ୍ରସ୍ତୁତି କରାଯାଇଛି । କୋଭିଡ୍‌ ଲକ୍ଷଣ ଥିବା ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଲିସ୍‌ କର୍ମଚାରୀଙ୍କ ନେତୃତ୍ୱ ଏସ୍‌ପି ନେଉଛନ୍ତି । ତାଙ୍କୁ ଏଥିପାଇଁ ୩ ଜଣ ଅତିରିକ୍ତ ଏସ୍‌ପି ଓ ୭ ଜଣ ଡିଏସ୍‌ପି ସହଯୋଗ କରୁଛନ୍ତି । ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ମତଦାନ ବେଳେ ଯେପରି କିଛି ବିଶୃଙ୍ଖଳା ନହେବ ସେଥିପାଇଁ ଅତିରିକ୍ତ ବ୍ୟବସ୍ଥା କରାଯାଇଛି ।

ଉପନିର୍ବାଚନ ପାଇଁ ୪୨୩ଟି ଗାଡ଼ିକୁ ନିୟୋଜିତ କରାଯାଇଛି । ପୋଲିଂ ପାର୍ଟି, ପୋଲିସ୍‌ ଓ ଅର୍ଦ୍ଧସାମରିକ ବାହିନୀ ପାଇଁ ଏହି ସବୁ ଗାଡ଼ିର ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନରେ ସାମିଲ ସମସ୍ତ କର୍ମଚାରୀ ଡବଲ୍‌ ଡୋଜ୍‌ ନେଇଛନ୍ତି । କର୍ମଚାରୀମାନେ ଡ୍ୟୁଟିକୁ ଆସିବା ବେଳେ ଟିକାର ଉଭୟ ଡୋଜ୍‌ ନେଇଥିବା ପ୍ରମାଣପତ୍ର ଧରି ଆସିବେ । ଭିନ୍ନକ୍ଷମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଘରୁ ଆଣି ପୁଣି ଘରେ ଛାଡ଼ିବା ପାଇଁ ବ୍ୟବସ୍ଥା ହୋଇଛି । ପୋଲିଂ ବୁଥ୍‌ଗୁଡ଼ିକରେ ସେମାନଙ୍କ ପାଇଁ ହ୍ୱିଲ୍‌ ଚେୟାର ବ୍ୟବସ୍ଥା ରହିବ । ତା’ସହିତ ସ୍ୱେଚ୍ଛାସେବୀଙ୍କ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି । କୌଣସି ଭୋଟରଙ୍କ ଶରୀରର ତାପମାତ୍ରା ସାଧାରଣରୁ ଅଧିକ ଥିଲେ ବା ସେମାନଙ୍କ ଠାରେ କୋଭିଡ୍‌ର ଅନ୍ୟ କୌଣସି ଲକ୍ଷଣ ଥିଲେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ସେମାନଙ୍କୁ ଏକ ଚିରକୁଟ୍‌ ଦେଇ ଘରକୁ ପଠାଇ ଦିଆଯିବ । ସେମାନେ ଭୋଟ୍‌ ଗ୍ରହଣର ଅନ୍ତିମ ୧ ଘଣ୍ଟାରେ ଆସି ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିବେ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଳ କୁମାର ଲୋହାନୀ କହିଥିଲେ ।ପ୍ରତ୍ୟେକ ବୁଥ୍‌ରେ କୋଭିଡ୍‌ ନୋଡାଲ୍‌ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦିଆଯାଇଛି । ସାଧାରଣତଃ ଆଶା କର୍ମୀ ବା ଅଙ୍ଗନୱାଡ଼ି କର୍ମୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ବୁଥ୍‌ଗୁଡ଼ିକରେ କୋଭିଡ୍‌ର ସବୁ ପ୍ରୋଟୋକଲକୁ ଅନୁସରଣ କରାଯାଉଛି ନାହିଁ, ତାହା ସେମାନେ ତଦାରଖ କରିବା ସହିତ ଏଥିରେ ସହଯୋଗ କରିବେ ।

ଉଲ୍ଲେଖ୍ୟଯୋଗ୍ୟ ଯେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିିଲିରେ ଉପ-ନିର୍ବାଚନ ହେଉଛି । ଏହାପୂର୍ବରୁ ପିିଲି ଉପନିର୍ବାଚନ ଦୁଇ ଦୁଇଥର ସ୍ଥଗିତ ହୋଇଛି । ଉପନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖ ଘୁଞ୍ଚାଯାଇଥିଲା । ପରେ କରୋନାର ଦ୍ୱିତୀୟ ଲହରର ପ୍ରକୋପକୁ ଦୃଷ୍ଟିରେ ରଖି ନିର୍ବାଚନକୁ ସାମୟିକ ଭାବେ ସ୍ଥଗିତ ରଖିଥିଲେ ନିର୍ବାଚନ କମିସନ । ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଏବଂ ସେହିଭଳି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଦେହାନ୍ତ ପରେ ଦଳ ଏଠାରେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପ୍ରାର୍ଥୀ କରିଥିଲା । ତେବେ ପିିପିଲି ବାଜି କିଏ ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିବ । ଅକ୍ଟୋବର ୩ ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଛି ।

Get real time updates directly on you device, subscribe now.