fbpx
BSKY SKY
BSKY SKY

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ: କପି ରୋକିବାକୁ ହୋଇଛି ଏପରି ବ୍ୟବସ୍ଥା

BSKY

ଭୁବନେଶ୍ୱର: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତଦୁଇ ପରୀକ୍ଷା । ଏହା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । କଳା, ବାଣିଜ୍ୟ ଓ ବିଜ୍ଞାନ ସହ ଧନ୍ଦାମୂଳକ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ମୋଟ ୧୯ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ପରୀକ୍ଷାକରାଯିବ । ଚଳିତବର୍ଷ  ମୋଟ ୩ଲକ୍ଷ ୮୬ ହଜାର ୨୫୦ଜଣ ପରୀକ୍ଷାର୍ଥୀପରୀକ୍ଷା ଦେବେ । ରେଗୁଲାରରେ ୩ଲକ୍ଷ ୬୦ହଜାର ୧୯୮ଜଣ ପରୀକ୍ଷା ଦେବାକୁ ଥିବାବେଳେ ଏକ୍ସ ରେଗୁଲାରରେ ୨୬,୦୫୨ଜଣ ପରୀକ୍ଷା ଦେବେ । ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ହଜାର ୯୮୯ ହୋଇଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୯୯ହଜାର ୩୬୧ ରହିଛି ।

 

କଳାରେ ୨ଲକ୍ଷ ୩୭ହଜାର ୭୫୦ଜଣ, ବିଜ୍ଞାନରେ ୧ଲକ୍ଷ ୧୬ହଜାର ୬୨୦ଜଣ, ବାଣିଜ୍ୟରେ ୨୬ହଜାର ୮୯ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫,୭୯୧ଜଣ ପରୀକ୍ଷା ଦେବେ । ପରୀକ୍ଷାରେ କପି ରୋକିବା ପାଇଁ ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀ ଅଧଘଣ୍ଟାଏ ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ହଲରେ ପ୍ରବେଶ କରିବେ । ସେହିପରି ୧୦ ମିନିଟ ପୂର୍ବରୁ ଖାତା ପାଇବେ ଛାତ୍ରଛାତ୍ରୀ । ଉତ୍ତର ଖାତାର ସିରିଏଲ ନମ୍ବର ଓ ପୃଷ୍ଠାସଂଖ୍ୟା ଭଲଭାବେ ଦେଖିବେ ଓ କୌଣସି ତ୍ରୁଟି ଥିଲେ ତୁରନ୍ତ ଜଣାଇବେ ।

 

ଏହି ପରୀକ୍ଷାରେ କୌଣସି ଆଡିସନାଲ ସିଟ୍ ଦିଆଯିବ ନାହିଁ । ପ୍ରଶ୍ନପତ୍ରରେ ରୋଲ ନମ୍ବର ଛଡ଼ା କୌଣସି ଦାଗ ଲାଗିବ ନାହିଁ । ଯଦି ଏପରି ଜଣାପଡ଼େ ତେବେ ଏହାକୁ ମାଲପ୍ରାକ୍ଟିସ ବୋଲି ଧରାଯିବ । ଉତ୍ତର ଖାତାରେ ନିଜର ରୋଲ ନଂ ଓ ରେଜିଷ୍ଟ୍ରେସନ ନଂ ଛାତ୍ରଛାତ୍ରୀମାନେ ଠିକ୍ ସ୍ଥାନରେ ଲେଖିବେ । ପ୍ରଶ୍ନପତ୍ରର ସେଟ୍କୋଡ୍କୁ ମଧ୍ୟ ନିର୍ଭୁଲ ଭାବେ ଲେଖିବେ । ପରୀକ୍ଷା ହଲକୁ କଳା ବଲ୍ପେନ୍ ଓ ଆଡମିଟ୍କାର୍ଡ ବ୍ୟତୀତ ଅନ୍ୟ ସାମଗ୍ରୀ ବାରଣ କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୃଙ୍ଖଳିତ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ଏଥର ଯୁକ୍ତ ଦୁଇ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ନିରପେକ୍ଷ ପରୀକ୍ଷା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । କପି ରୋକିବା ପାଇ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ସହ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.