ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ବର୍ଷ ଅତିକ୍ରମ କରିଥିଲେ ବି ତାହା ବନ୍ଦ ହେବାର ନାଁ ନେଉ ନାହିଁ। ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଆଉ ଏହା ଭିତରେ ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଜରିଆରେ କଥାବାର୍ତ୍ତା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହ ରୁଷିଆରେ ଅନୁଷ୍ଠିତ ନିର୍ବାଚନରେ ପୁଟିନଙ୍କୁ ମିଳିଥିବା ସଫଳତା ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ କ୍ରେମଲିନ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ରବିବାର ଦିନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପ୍ରକ୍ରିୟା ଶେଷ ହୋଇଥିଲା । ମୋଟ ୧୧.୪୨ କୋଟି ଭୋଟରଙ୍କ ମଧ୍ୟରୁ ୭୨.୮୪ ପ୍ରତିଶତ ଲୋକ ତିନି ଦିନରେ ଭୋଟ୍ ଦେଇଥିଲେ। ତେବେ ରୁଷରେ ତିନି ଦିନିଆ ମତଦାନ ପ୍ରକ୍ରିୟା ସମାପ୍ତ ହେବା ପରେ ହୋଇଥିବା ଭୋଟ୍ ଗଣନାରେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ସର୍ବାଧିକ ୮୭.୯୭ ଭୋଟ୍ ମିଳିଥିଲା। ଯାହାଫଳରେ ସେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଷ୍ଟ୍ରପତି ପୁଟିନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର (୨୦ମାର୍ଚ୍ଚ) ଟେଲିଫୋନ ଯୋଗେ ତାଙ୍କ ସହ କଥା ହୋଇଥିଲେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ, ରୁଷିଆ ଲୋଙ୍କର ଶାନ୍ତି, ପ୍ରଗତି ଏବଂ ସମୃଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ସହଯୋଗ ଆହୁରି ମଜବୁତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହି ସମୟ ମଧ୍ୟରେ ଉଭୟ ନେତା ମଧ୍ୟ ଆଗାମୀ ବର୍ଷରେ ଭାଗିଦାରୀକୁ ଆହୁରି ମଜବୁତ କରିବା ଦିଗରେ ଠୋସ ଉଦ୍ୟମ କରିବାକୁ ରାଜି ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମଧ୍ୟ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ବର୍ଷରେ ଭାରତ-ରୁଷିଆ ସୁବିଧାଜନକ ରଣନୀତିକ ଭାଗିଦାରୀକୁ ଆହୁରି ବିସ୍ତାର କରିବ ଏବଂ ମିଳିତ ଭାବେ କାର୍ଯ୍ୟ କରିବ। ଉଭୟ ଦେଶରେ ଏଥିପାଇଁ ଏକ ଚୁକ୍ତିନାମା ହୋଇଛି।
ୟୁକ୍ରେନ-ରୁଷିଆ ଯୁଦ୍ଧ ଉପରେ କୂଟନୈତିକ ପ୍ରତିବଦ୍ଧତାକୁ ପୁଣି ପ୍ରଧାନମନ୍ତ୍ରୀ ମୋଦୀ ଦୋହରାଇଛନ୍ତି:-
ପିଏମଓ ପକ୍ଷରୁ କୁହାଯାଇଛି ଯେ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ପାରସ୍ପରିକ ଆଗ୍ରହର ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ମଧ୍ୟ ମତ ବିନିମୟ ହୋଇଥିଲା। ଏହାସହ ଏହା କୁହାଯାଇଛି ଯେ ୟୁକ୍ରେନ-ରୁଷିଆ ଯୁଦ୍ଧ ଉପରେ କଥାବାର୍ତ୍ତା ଏବଂ କୂଟନୈତିକ ସପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।