ଅଦାନୀଙ୍କୁ ପ୍ରୋଜେକ୍ଟ ଦେବା ପାଇଁ ରାଷ୍ଟ୍ରପତି ରାଜପକ୍ଷେଙ୍କ ଉପରେ ଚାପ ପକାଇଥିଲେ ପିଏମ ମୋଦୀ, ପରେ ନିଜ କଥାରୁ ଓଲଟି ଗଲେ ଅଧିକାରୀ
ନୂଆଦିଲ୍ଲୀ: ଶ୍ରୀଲଙ୍କାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଅଦାନୀ ଗ୍ରୁପକୁ ପାଓ୍ଵାର ପ୍ରୋଜେକ୍ଟ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଉପରେ ଚାପ ପକାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଅଧିକାରୀ ନିଜ ବୟାନରୁ ଓହରି ଯାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ମଧ୍ୟ ଏହି ଧରଣର ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଯେଉଁ ପ୍ରୋଜେକ୍ଟ କଥା କୁହାଯାଉଛି ତାହା ୫୦୦ ମେଗାଓ୍ଵାଟ ନବୀକରଣ ଶକ୍ତି ପ୍ରକଳ୍ପ ଶ୍ରୀଲଙ୍କାର ମନ୍ନାର ଜିଲ୍ଲାରେ ଅବସ୍ଥିତ। ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ଶ୍ରୀଲଙ୍କାର ସିଲୋନ ଇଲେକ୍ଟ୍ରିସିଟି ବୋର୍ଡର ଅଧ୍ୟକ୍ଷ ଏମଏମସି ଫର୍ଡିନାଣ୍ଡୋ ଶୁକ୍ରବାର କଲୋମ୍ବୋରେ ସଂସଦୀୟ କମିଟି ସାମ୍ନାରେ ହାଜର ହୋଇଥିଲେ। ଏହି ସମୟରେ ସେ ଦାବି କରିଥିଲେ ଯେ, ଏହି ପ୍ରୋଜେକ୍ଟ ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀଙ୍କୁ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ରାଷ୍ଟ୍ରପତି ରାଜପକ୍ଷେଙ୍କ ଉପରେ ଚାପ ପକାଇଥିଲେ।
କୁହାଯାଏ ଯେ, ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଫର୍ଡିନାଣ୍ଡୋଙ୍କ ଅଦାନୀଙ୍କ ଆଲୋଚନା ହୋଇଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏମିତି ଚାଞ୍ଚଲ୍ୟକର ଦାବି କରିବା ପରେ ଅଧିକାରୀ ନିଜ ବୟାନରୁ ଓହରି ଯାଇଛନ୍ତି। ସେ କହିଛନ୍ତି, ମୁଁ ଭାବନାରେ ଆସି ଏମିତି ଅନୁଚିତ୍ ବୟାନ ଦେଇ ଦେଇଥିଲି। ଅପରପକ୍ଷେ ରାଷ୍ଟ୍ରପତି ରାଜପକ୍ଷେ ମଧ୍ୟ ତୁରନ୍ତ ଏହା ଉପରେ ପ୍ରତିକ୍ରିୟା ରଖି ଏମିତି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି, ମନ୍ନାର ପ୍ରୋଜେକ୍ଟକୁ ନେଇ କୌଣସି ପ୍ରକାରର ଚାପ ଖବରକୁ ମୁଁ ଅସ୍ଵୀକାର କରୁଛି। ତାଙ୍କ କାର୍ୟ୍ୟାଳୟ ପକ୍ଷରୁ ମଧ୍ୟ ଏହି ଧରଣର ଅଭିଯୋଗକୁ ଖଣ୍ଡନ କରାଯାଇଛି।