fbpx

ପିଏମ ମୋଦୀ ଲଞ୍ଚ କଲେ ନୂଆ Vehicle Scrappage Policy, ପୁରୁଣା କାର ବିକିଲେ ମିଳିବ ଏହି ଫାଇଦା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ Vehicle Scrappage Policy ଆଜି ଲଞ୍ଚ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ଗୁଜୁରାଟର ନିବେଶକ ସମ୍ମିଳନୀରେ ଏହି ପଲିସିର ଲଞ୍ଚ କରିଛନ୍ତି । ୨୦୨୧ ର କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପଲିସିକୁ ଉପସ୍ଥାପନ କରିଥିଲେ । ଯାନବାହାନ ସ୍କ୍ରାପେଜ୍ ନୀତି ଲଞ୍ଚ କରି ମୋଦୀ କହିଛନ୍ତି ଯେ, ନୂଆ ସ୍କ୍ରାପେଜ୍ ନୀତି ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ନୀତିର ସିଦ୍ଧାନ୍ତ ହେଉଛି, Re-use, Recycle ଓ Recovery । ଏହି ପଲିସି ଦେଶରେ ୧୦,୦୦୦ କୋଟି ଟଙ୍କା ବିନିଯୋଗ ଆଣିବ ।

ତେବେ ଏହି ପଲିସିକୁ ଲୋକପ୍ରିୟ କରିବା ପାଇଁ ସରକାର ଅନେକ ସୁବିଧା ଆଣିଛନ୍ତି । ଉଦାହରଣ ସ୍ୱରୂପ, ପୁରୁଣା କାର୍ ମାଲିକ ଯେଉଁମାନେ ସ୍କ୍ରାପ୍ ପାଇଁ ନିଜ କାର୍ ଦେବେ, ସେମାନଙ୍କୁ ଏକ ସାର୍ଟିଫିକେଟ୍ ଦିଆଯିବ । ଯେତେବେଳେ ସେମାନେ ଏକ ନୂଆ କାର କିଣିବାକୁ ଯିବେ, ସେତେବେଳେ ଏହି ସାର୍ଟିଫିକେଟ୍ ଆଧାରରେ ନୂଆ କାରର ପଞ୍ଜୀକରଣ ଶୁଳ୍କ ଉପରେ ରିହାତି ମିଳିବ । ସ୍କ୍ରାପେଜ୍ ନୀତିର ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଇଥାନଲ ଏବଂ ହାଇଡ୍ରୋଜେନ ଇନ୍ଧନ ଉପରେ ସରକାରଙ୍କ ପ୍ରାଥମିକତା ରହିଛି ।

ସ୍କ୍ରାପେଜ୍ ପଲିସି ଅନୁଯାୟୀ, ୧୫ ବର୍ଷରୁ ଅଧିକ ସରକାରୀ ଏବଂ ବାଣିଜ୍ୟିକ ଯାନକୁ ସ୍କ୍ରାପ୍ କରିବାର ଯୋଜନା ଅଛି । ୨୦ ବର୍ଷରୁ ଅଧିକ ପୁରୁଣା ଘରୋଇ ଯାନଗୁଡିକ ମଧ୍ୟ ସ୍କ୍ରାପ୍ କରାଯିବ । ଭାରତରେ ୫୧ ଲକ୍ଷ ହାଲୁକା ମୋଟର ଯାନ ଅଛି, ଯାହାକି ୨୦ ବର୍ଷରୁ ଅଧିକ ଏବଂ ୩୪ ଲକ୍ଷ ଯାହାକି ୧୫ ବର୍ଷରୁ ଅଧିକ ପୁରୁଣା । ପ୍ରାୟ ୧୭ ଲକ୍ଷ ମଧ୍ୟମ ଏବଂ ଭାରୀ ବାଣିଜ୍ୟିକ ଯାନ ଅଛି ଯାହା ୧୫ ବର୍ଷରୁ ଅଧିକ ପୁରୁଣା ଏବଂ ଆବଶ୍ୟକ ଫିଟନେସ୍ ସାର୍ଟିଫିକେଟ୍ ବିନା ଚାଲୁଛି । ଏଥିପାଇଁ ସ୍କ୍ରାପ୍ ନୀତି ଆବଶ୍ୟକ କାରଣ, ପୁରୁଣା ଯାନଗୁଡିକ ଫିଟ୍ ଯାନ ଅପେକ୍ଷା ୧୦ ରୁ ୧୨ ଗୁଣ ଅଧିକ ପ୍ରଦୂଷଣ ବିସ୍ତାର କରିଥାଏ । ଏହା ସଡକ ସୁରକ୍ଷା ପାଇଁ ମଧ୍ୟ ବିପଦଜ୍ଜନକ ସାବ୍ୟସ୍ତ ହୋଇଥାଏ ।

Get real time updates directly on you device, subscribe now.