ମାତ୍ର କେଇ ଘଣ୍ଟାର ଅପେକ୍ଷା, ଆସିବେ ମୋଦୀ, ଓଡ଼ିଶାକୁ 19 ହଜାର କୋଟିର ଦେବେ ଭେଟି
ଓଡ଼ିଶାରେ ମୋହନ ସରକାରକୁ ବର୍ଷେ । ଆଜି (ଶୁକ୍ରବାର) ଜନତା ମଇଦାନରେ ଏକ ବର୍ଷ ପୂର୍ତ୍ତି ଅବସରରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ବର: ଓଡ଼ିଶାରେ ମୋହନ ସରକାରକୁ ବର୍ଷେ । ଆଜି (ଶୁକ୍ରବାର) ଜନତା ମଇଦାନରେ ଏକ ବର୍ଷ ପୂର୍ତ୍ତି ଅବସରରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ନ 3.40 ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ । 3ଟା 45ରୁ 4 ଟା 15 ପର୍ଯ୍ୟନ୍ତ ରୋଡ୍ ସୋ’ କରିବେ ମୋଦୀ। 4ଟା 15 ରୁ 5ଟା 35 ପର୍ଯ୍ୟନ୍ତ ଜନତା ମଇଦାନରେ ରହିବେ ।
ଏଥିସହ 19 ହଜାର କୋଟି ଟଙ୍କାର 105 ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। 60 ପ୍ରକଳ୍ପର ଶିଳାନ୍ୟାସ ଏବଂ 45 ପ୍ରକଳ୍ପର ଲୋକାର୍ପଣ କରିବେ ମୋଦୀ। ଏପଟେ ଏହାକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନତା ମଇଦାନ ବୁଲି ଦେଖିବା ସହ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯେପରି କୌଣସି ତ୍ରୁଟି ନରହିବ ସେଥିପ୍ରତି ସଜାଗ ରହିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏୟାରପୋର୍ଟରୁ ତ୍ରିରଙ୍ଗା ଯାତ୍ରା କରିବେ ପ୍ରଧାନମନ୍ତ୍ରୀ। କଳିଙ୍ଗ ଷ୍ଟାଡିୟମରୁ ବିଶାଳ ରୋଡ଼ ସୋରେ ଆସିବେ ପିଏମ। ଏୟାରପୋର୍ଟରୁ ଜନତା ମଇଦାନ ଭିତରେ ସ୍ଵାଗତ ଲାଗି ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆୟୁଷ୍ମାନ ଯୋଜନାରେ କାର୍ଡ ବାଣ୍ଟିବେ ମୋଦି। ଲକ୍ଷପତି ଦିଦିଙ୍କୁ ଭେଟିବେ, ମୁଖ୍ୟମନ୍ତ୍ରୀ ଅନ୍ତଦ୍ୟୋୟ ଯୋଜନାରେ ଘର ବାଣ୍ଟିବେ। ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।
ସେହିପରି CRUT ଅଧୀନରେ 100ଟି ବୈଦ୍ୟୁତିକ ବସର କରିବେ ଲୋକାର୍ପଣ। ନରାଜରେ ନିର୍ମିତ 50 କୋଟି ଟଙ୍କାର ଇଭି ବସ୍ ଡିପୋ ଉଦଘାଟନ କରିବେ । 2036ରେ ଓଡ଼ିଶାର ଶହେ ବର୍ଷ ପୂର୍ତ୍ତି ଓ 2047ରେ ଦେଶ ସ୍ବାଧୀନତାକୁ ଶହେ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ମଧ୍ୟ ପ୍ରକାଶ କରିବେ ପ୍ରଧାନମନ୍ତ୍ରୀ। ଏହାବ୍ୟତୀତ ଓଡ଼ିଆଙ୍କ ଅବଦାନକୁ ଶ୍ରଦ୍ଧା ସୁମନ ସ୍ୱରୂପ, ପ୍ରଧାନମନ୍ତ୍ରୀ ‘ବରପୁତ୍ର ଐତିହାସିକ ଗ୍ରାମ ଯୋଜନା’ ପ୍ରୟାସ ଆରମ୍ଭ କରିବେ। ରାଜ୍ୟରେ ସମୃଦ୍ଧି ଏବଂ ସ୍ୱାବଲମ୍ବନର ପ୍ରତୀକ ସାଜିଥିବା ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ ବୋଲି ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । 133 ପ୍ଲାଟୁନ ପୋଲିସ ଫୋର୍ସ ସହ 500 ରୁ ଅଧିକ ପୋଲିସ ଅଫିସରଙ୍କ ସହ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଏବଂ ସ୍ବତନ୍ତ୍ର ଏଜେନ୍ସିମାନେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା, ଆଣ୍ଟି ସେଭୋଟାଜ, କ୍ରାଉଡ କଣ୍ଟ୍ରୋଲ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ମଧ୍ୟ ମୁତୟନ ଅଛନ୍ତି । ଆଜି ବିମାନବନ୍ଦରରୁ ଜନତା ମୈଦାନ ଯାଏଁ କାରକେଡ ରିହର୍ସଲ ମଧ୍ୟ କରାଯାଇଛି ।
ଶେଷରେ ଅପରାହ୍ନ 5ଟା 50 ରେ ନୂଆଦିଲ୍ଲୀ ଅଭିମୁଖେ ଫେରିବେ ପ୍ରଧାନମନ୍ତ୍ରୀ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଯିବେ ।