fbpx

ପ୍ରଧାନମନ୍ତ୍ରୀଙ୍କୁ ପୁଣି ଏକ ଅନ୍ତର୍ଜାତୀୟ ସମ୍ମାନ, ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ଯୋଡ଼ି ହୋଇଛି । ପଡ଼ୋଶୀ ଦେଶ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର ମୋଦିଙ୍କୁ ପ୍ରଦାନ କରାଯାଇଛି । ଏନେଇ ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଟିଶେରିଂ କହିଛନ୍ତି ଯେ, ବିନା ସର୍ତ୍ତରେ ମୋଦି ଜଣେ ସଚ୍ଚା ଦୋସ୍ତର ଭୂମିକା ନିଭାଇଛନ୍ତି । ତେଣୁ ଏହି ଘୋଷଣାକୁ ନେଇ ମୁଁ ବହୁତ ଖୁସି ।

ଭୁଟାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ ମାଧ୍ୟମରେ କୁହାଯାଇଛି ଯେ, ‘ମୋଦି ଜଣେ ଆଧ୍ୟାତ୍ମିକ ମଣିଷ, ସେ ‘ନଗଦଗ ପେଲ ଜୀ ଖୋରଲୋ’ ପୁରସ୍କାର ପାଇବାକୁ ହକଦାର । ଗତ କିଛି ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ମୋଦି ବିନା ସର୍ତ୍ତରେ ଆମ ସହ ଦୋସ୍ତୀ ବଜାୟ ରଖି ଆସିଛନ୍ତି । କରୋନା ଭାଇରସ ସମୟରେ ମଧ୍ୟ ସେ ଭୁଟାନକୁ ସାହାଯ୍ୟର ହାତ ବଢ଼ାଇଥିଲେ । ଭୁଟାନବାସୀଙ୍କ ତରଫରୁ ମୋଦିଙ୍କୁ ଅନେକ ଅନେକ ବଧାଇ । ସୂଚନାଯୋଗ୍ୟ ଯେ, ମୋଦି ୨୦୧୯ରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବା ପରେ ଭୁଟାନ ଗସ୍ତରେ ଯାଇଥିଲେ । ଏହି ଅବସରରେ ମୋଦି ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଉଦ୍ଦେଶ୍ୟରେ ଶୀର୍ଷ ନେତାଙ୍କ ସହ ସାକ୍ଷାତ କରିଥିଲେ । ବିଗତ କିଛି ବର୍ଷ ହେଲା ଭାରତ-ଭୁଟାନ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇବାରେ ଲାଗିଛି । ଡୋକଲାମକୁ ନେଇ ଭାରତ ଭୁଟାନର ପକ୍ଷ ନେଇ ଚାଇନକୁ ପଛକୁ ହଟିବାକୁ ବାଧ୍ୟ କରିଥିଲା, ଯାହାକି ଭୁଟାନବାସୀ କେବେ ଭୁଲି ପାରିବେ ନାହିଁ । ପୂର୍ବରୁ ମୋଦିଙ୍କୁ ସାଉଦି ଆରବ, ଆଫଗାନିସ୍ତାନ, ଫଲିସ୍ତିନ, ୟୁଏଇ, ରୁଷ ଓ ମାଲଦୀପ ପରି ଏକାଧିକ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.