ଦକ୍ଷିଣ କୋରିଆ ରାଷ୍ଟ୍ରପତି କାର୍ଯ୍ୟାଳୟରେ ପୋଲିସ ରେଡ୍‌, କିଛି ଦିନ ପୂର୍ବରୁ ଜାରି କରିଥିଲେ ମାର୍ଶାଲ ଲ

ନୂଆଦିଲ୍ଲୀ: ବୁଧବାର ଦକ୍ଷିଣ କୋରିଆ ପୋଲିସ ରାଷ୍ଟ୍ରପତି କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି । ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍‌(Yoon Suk Yeol)ଙ୍କ ବିରୋଧରେ ଚାଲିଥିବା ଅପରାଧିକ ତଦନ୍ତର ଏକ ଅଂଶ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂକ୍ଷିପ୍ତ ମାର୍ଶାଲ ଲ ଲାଗୁ କରିବା ମାମଲାରେ ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ ଅଭିଯୋଗ ରହିଛି । ଅଧିକାରିକ ସୂଚନା ଅନୁଯାୟୀ ୟୁନ୍ ସୁକ୍ ୟୋଲଙ୍କୁ ଗିରଫ କରାଯାଇ ନାହିଁ କି ତାଙ୍କୁ କୌଣସି ପ୍ରକାର ପଚରାଉଚରା କରାଯାଇନାହିଁ ।

ସ୍ୱତନ୍ତ୍ର ଯାଞ୍ଚ ଦଳ ଅପରାଧିକ ତଦନ୍ତ ମାମଲାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ଜାତୀୟ ପୋଲିସ ଏଜେନ୍ସି, ସିଓଲ ମେଟ୍ରୋପଲିଟିଆନ୍ ପୋଲିସ ଏଜେନ୍ସି ଏବଂ ଜାତୀୟ ବିଧାନସଭା ସୁରକ୍ଷା ସେବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯାଞ୍ଚ୍ ଦଳ କହିଛନ୍ତି କି ଏହି ମାମଲା ଦେଶର ସୁରକ୍ଷା ଏବଂ ପ୍ରଶାସନିକ ବ୍ୟବସ୍ଥା ସହ ଜଡ଼ିତ ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି । ଡିସେମ୍ବର ୩ ତାରିଖ ଦିନ ରାତିରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍ ହଠାତ ମାର୍ଶାଲ ଲ ଘୋଷଣା କରି ସଂସଦରେ ସ୍ୱତନ୍ତ୍ର ବାହିନୀ ଓ ହେଲିକପ୍ଟର ନିୟୋଜିତ କରିଥିଲେ । ତେବେ ବିରୋଧୀ ଏବଂ ତାଙ୍କ ଦଳର ସାଂସଦଙ୍କ ଚାପ ଯୋଗୁଁ ତାଙ୍କୁ ଏହି ଆଦେଶ ପ୍ରତ୍ୟାହାର କରିବାକୁ ପଡ଼ିଥିଲା । ଏହା ପରେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା ଏବଂ ଏହା ଆଧାରରେ ତାଙ୍କ ବିରୋଧରେ ଅପରାଧିକ ତଦନ୍ତ ଆରମ୍ଭ ହୋଇଥିଲା । କହିରଖୁଛୁ ମାର୍ଶାଲ ଲ କେବଳ ୬ ଘଣ୍ଟା ପାଇଁ ଚାଲିଲା କିନ୍ତୁ ଏହା ସାରା ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଥିଲା । ଏହା ପରେ ସାଂସଦ ଏବଂ ସାଧାରଣ ଜନତା ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ପାଇଁ ଦାବି କରିଥିଲେ ।