fbpx

ପୁଲିସ୍ ଗାଡ଼ିକୁ ଚୋରାଇ ନେଲା ଚମ୍ପଟ୍ ମାରିଲା ଚୋର, ଗୋଡ଼ାଇ ଗୋଡ଼ାଇ ଯୁବକକୁ କାବୁ କଲା ପୁଲିସ୍

ଢେଙ୍କାନାଳ (ଭାସ୍କର ନ୍ୟୁଜ୍‌) :ପୁଲିସ୍‌ ଗାଡ଼ିକୁ ଚୋରାଇ ନେଲା ଚୋର । ତାହା ପୁଣି ଥାନା ପରସିରରୁ। ଢେଙ୍କାନାଳ ଟାଉନ୍‌ ଥାନା ପରିସରରୁ ପୋଲିସ ଗାଡିକୁ ନେଇ ଚମ୍ପଟ ମାରିଥିଲା ଚୋର। ଚୋର ବୋଲରୋ ଧରି ଛୁ ମାରିଥିଲା ଜଣାପଡିବା ପରେ ରାଜପଥରେ ଗୋଡ଼ାଇ ଗୋଡ଼ାଇ କଟକ ଜିଲ୍ଲା ଅନ୍ତର୍ଗତ ଖୁଣ୍ଟୁଣୀ ଠାରୁ ଢେଙ୍କାନାଳ ପୋଲିସ୍‌ ଗାଡି ସହ ଚୋରକୁ କାବୁ କରିଛି । ଏଭଳି ଏକ ଅଭାବନୀୟ ଘଟଣା ବୁଧବାର ଦିନ ଢ଼େଙ୍କାନାଳ ଟାଉନ୍ ଥାନା ଭିତରେ ଘଟିଛି। ଯାହା ଚର୍ଚ୍ଚା ସୃଷ୍ଟି କରିଛି ତାଠାରୁ ଅଧିକ ପୁଲିସ୍‌ର ପାରିବାପଣିଆ ଆଙ୍ଗୁଳି ଉଠାଇଛି ।

ସୂଚନାଯୋଗ୍ୟ ଯେ ଗିରଫ ଅଭିଯୁକ୍ତ ଜଣଙ୍କ ଗଁଦିଆ ଥାନା ଅନ୍ତର୍ଗତ ଲଟା ବାଇଁଶିଆ ଗ୍ରାମର ଧର୍ମେନ୍ଦ୍ର ସ୍ୱାଇଁ । ଗତକାଲି ରାତ୍ରିରେ ଟାଉନ୍‌ ଅଞ୍ଚଳରେ ଧର୍ମେନ୍ଦ୍ର ବୁଲୁଥିବା ଦେଖି ସନ୍ଦେହଜନକ ପରିସ୍ଥିତିରେ ଟାଉନ୍‌ ପୋଲିସ୍‌ ଥାନାକୁ ଆଣିଥିଲେ । କିନ୍ତୁ ଉକ୍ତ ଯୁବକର ମାନସିକ ଭିନ୍ନକ୍ଷମ ବୋଲି ଅନୁଭବ କରିବାରୁ ତାକୁ ଘରେ ଛାଡିଦେବାକୁ ଗାଡିରେ ବସାଇଥିଲେ । ଏହି ସମୟରେ ଥାନା ଗାଡି ଚାଳକ ପାଣି ପାଇଁ ଗାଡିରୁ ଓହ୍ଲାଇ ଯାଇଥିବାବେଳେ ସୁବିଧା ପାଇ ଏହି ଯୁବକ ଥାନା ପରିସରରୁ ଗାଡି ନଂ- ଓଡି-୦୫-ଏପି-୨୭୧୬କୁ ନେଇ ପଳାଇଥିଲା । ଏହି ଘଟଣା ଦେଖିବା ମାତ୍ରେ ପଛରେ ପୋଲିକ୍‌ ଗୋଡାଇବା ଆରମ୍ଭ କରିଥିଲା । ଗୋଡାଇ ଗୋଡାଇ ପରିଶେଷରେ ଖୁଣ୍ଟୁଣୀ ଥାନା ଅଞ୍ଚଳର ଚମ୍ପେଶ୍ୱର ନିକଟରୁ ଗାଡିସହ ଉକ୍ତ ଯୁବକକୁ କାବୁ କରିବାରେ ପୁଲିସ୍‌ ସକ୍ଷମ ହୋଇଥିଲା ।

 

Get real time updates directly on you device, subscribe now.