fbpx

ଆଠ ବର୍ଷ ଧରି ପୋଲିସ ଚଲାଉଥିଲା ଏକ ଚୋରୀ ବାଇକ୍, ଚାଲାଣ ଗଲା ଗାଡ଼ି ମାଲିକ ପାଖକୁ, ଏବେ ସତ ଆସିଲା ପଦାକୁ

ନୂଆଦିଲ୍ଲୀ: ଆଜିକାଲି ଯେତେ ନୀତି ନିୟମ ଲାଗୁ ହେଲେ ମଧ୍ୟ ବାଇକ୍ ପ୍ରବଳ ମାତ୍ରାରେ ଚୋରି ହେଉଥିବା ଦେଖାଯାଉଛି । ତେବେ ନିକଟରେ ଘଟିଥିବା ଏକ ବାଇକ୍ ଚୋରି ମାମଲା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବକଙ୍କର ଏକ ଚୋରି ବାଇକକୁ ବର୍ଷ ବର୍ଷ ଧରି ଜଣେ ପୋଲିସ ବାବୁ ଚଲାଉଥିଲେ । ମାତ୍ର ପରେ ବାଇକର ଚାଲାଣ ପହଞ୍ଚିଥିଲା ପ୍ରକୃତ ମାଲିକ ପାଖରେ ।

ପାକିସ୍ତାନରୁ ଏଭଳି ଅଜବ ପ୍ରକାରର ମାମଲା ଆସିଛି । ଲାହୋରର ମୁଘଲପୁରା ଅଞ୍ଚଳର ଇମରାନ ନାମକ ଜଣେ ଯୁବକଙ୍କ ହୋଣ୍ଡା ସିଡି-୭୦ ବାଇକ୍ ୮ ବର୍ଷ ତଳେ ଚୋରି ହୋଇଯାଇଥିଲା । ସେ ସମୟରେ ଇମରାନ ଏ ନେଇ ପୋଲିସରେ ଏଫଆଇଆର ଦାୟର କରିଥିଲେ । ମାତ୍ର ତାଙ୍କର ବାଇକ୍ ବିଷୟରେ କୌଣସି ପତ୍ତା ମିଳିନଥିଲା ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିକଟରେ ଇମରାନଙ୍କ ନିକଟକୁ ତାଙ୍କର ପୁରୁଣା ବାଇକର ଚାଲାଣର ଏକ ମେସେଜ୍ ଆସିଥିଲା । ଉକ୍ତ ଚାଲାଣରେ ଥିବା ଠିକଣାକୁ ଆଧାର କରି ଇମରାନ ସେଠାରେ ପହଞ୍ଚିଥିଲେ । ତେବେ ଉକ୍ତ ବାଇକରେ ଜଣେ ପୋଲିସ କର୍ମୀଙ୍କର ଫଟୋ ରହିଥିବା ଜଣାପଡ଼ିଥିଲା । ଏହାକୁ ଇମରାନ ସହଜରେ ବିଶ୍ୱାସ କରିପାରି ନଥିଲେ ।

ତେବେ ପରେ ଖୋଳତାଡ଼ ପରେ ଜଣାପଡ଼ିଥିଲା ଯେ, ଇମରାନଙ୍କ ଚୋରୀ ବାଇକକୁ ଜଣେ ପୋଲିସବାଲା ବ୍ୟବହାର କରୁଥିଲେ । ଚୋରି ହୋଇଥିବା ଉକ୍ତ ବାଇକରୁ ଏହି ଚାଲାଣ କଟାଯାଇଥିଲା । ତେବେ ୮ ବର୍ଷ ପରେ ବାଇକର ସନ୍ଧାନ ମିଳିବା ପରେ ଇମରାନ ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ ଇମରାନଙ୍କୁ ତାଙ୍କ ବାଇକ୍ ଫେରସ୍ତ କରିବାକୁ ପୋଲିସ ଅଧିକାରୀ ଅଭିଯୁକ୍ତ ପୋଲିସ କର୍ମୀଙ୍କୁ କହିଥିବା ଜଣାପଡ଼ିଛି । ଏହି ଘଟଣା ବିଷୟରେ ଇମରାନ ଏକ ଭିଡିଓ ଶେୟାର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.