fbpx

ପୁନମ ପାଣ୍ଡେ ଲୋକଙ୍କ ଭାବନା ସହ ଖେଳୁଛନ୍ତି? ଏହା କେତେଦୂର ସତ, ଇନଷ୍ଟାଗ୍ରାମରେ କାହିଁକି ମୃତ୍ୟୁ ଖବର ପୋଷ୍ଟ କରାଯାଇଥିଲା

ନୂଆଦିଲ୍ଲୀ: ଫେବୃଆରୀ ୨ ତାରିଖରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ମାତ୍ର ୩୨ ବର୍ଷ ବୟସରେ ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ଅଭିନେତ୍ରୀ ପ୍ରାଣ ହରାଇଥିବା କୁହାଯାଇଥିଲା । ଏନେଇ ପୁନମଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ସୂଚନା ଦିଆଯାଇଥିଲା । ତେବେ ପୁନମଙ୍କ ଅଚାନକ ବିୟୋଗକୁ ନେଇ ତାଙ୍କର ଅଗଣିତ ପ୍ରଶଂସକ ହତବାକ୍ ହୋଇଯାଇଥିବା ବେଳେ ତାଙ୍କର ମୃତ୍ୟୁ ଖବରର ସତ୍ୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ପରବର୍ତ୍ତୀ ସମୟରେ ଫ୍ୟାଶନ ଓ ଫିଲ୍ମ ସମୀକ୍ଷକ ଉମେର ସନ୍ଧୁ ପୁନମଙ୍କୁ ନେଇ ଏକ ବଡ଼ ଖୁଲାସା କରିଥିଲେ । ପୁନମ ଜୀବିତ ଅଛନ୍ତି ଓ ସେ ତାଙ୍କର ମୃତ୍ୟୁକୁ ଉପଭୋଗ କରୁଛନ୍ତି । ପବ୍ଲିସିଟି ପାଇଁ ପୁନମ୍ ଏପରି କରୁଛନ୍ତି ବୋଲି ସନ୍ଧୁ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଥିଲେ । ତେବେ ଏହା ମଧ୍ୟରେ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି । ‘ସେ ଜୀବିତ ଅଛନ୍ତି, ଗର୍ଭାଶୟ କର୍କଟରେ ତାଙ୍କର ମୃତ୍ୟୁ ହୋଇନାହିଁ’ ଇନଷ୍ଟାଗ୍ରାମରେ ଏଭଳି ଏକ ଭିଡିଓ ଜାରି କରି ପୁନମ୍ ପୁଣି ଥରେ ଚହଳ ସୃଷ୍ଟି କରିଛନ୍ତି ।

ସାଧାରଣ ଭାବେ ଜଣେ ବ୍ୟକ୍ତିଙ୍କ ପରଲୋକ ଘଟିଲେ ତାଙ୍କର ପରିବାର, ବନ୍ଧୁ ଓ ପରିଜନମାନେ ଦୁଃଖ ପ୍ରକାଶ କରିଥାନ୍ତି । ପୁନମଙ୍କ କ୍ଷେତ୍ରରେ ମଧ୍ୟ ସେପରି ଘଟିଥିଲା । ତେବେ ପ୍ରଥମେ ପୁନମଙ୍କ ମୃତ୍ୟୁ ଖବର ଓ ପରେ ଜୀବିତ ଖବର ସାମ୍ନାକୁ ଆସିବା ପରେ ଏବେ ଅନେକ ସନ୍ଦେହ ସୃଷ୍ଟି ହେଉଛି । ଏହି ମୃତ-ଜୀବିତର ଗୁଜବ କିଏ ସୃଷ୍ଟି କରୁଛି? ଲୋକଙ୍କ ଭାବନା ସହ ଖେଳିବା କ’ଣ ଠିକ୍ । ଯଦି ପୁନମ୍ ଏହା ଜାଣୁଶୁଣି କରୁଛନ୍ତି ତେବେ ସେ ଜାଣିବା ଉଚିତ ଏହା ଛୋଟ ପିଲାଙ୍କ ଖେଳ ନୁହେଁ । ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ମୃତ୍ୟୁ ଖବର କିଏ ପୋଷ୍ଟ କରିଥିଲା, ସେନେଇ ପୁନମ୍ ସ୍ପଷ୍ଟ କରିବା ଆବଶ୍ୟକ ।

ପୁନମଙ୍କ ମୃତ୍ୟୁ ପରେ ତାଙ୍କର ଶବ ମିଳିନଥିଲା । ଏ ବାବଦରେ କୌଣସି ତଥ୍ୟ ହସ୍ତଗତ ହୋଇ ନଥିବା କାନପୁର ପୋଲିସ ପକ୍ଷରୁ କୁହାଯାଇଥିଲା । ପୁନମଙ୍କ ଘର କି ପରିଜନଙ୍କ ବିଷୟରେ କିଛି ଖବର ପୋଲିସ ପାଇନଥିଲା । ସେହିପରି ଅଭିନେତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ତାଙ୍କର ପରିବାରବର୍ଗ କୌଣସି ସ୍ପଷ୍ଟ ତଥ୍ୟ ଦେଇନଥିଲେ । ଅନ୍ୟପଟେ ପୁନମଙ୍କ ଶବ କାନପୁର ପଠାଯାଇଥିବା ମୁମ୍ବାଇର ଜଣେ ଷ୍ଟାଫ ସୂଚନା ଦେଇଥିଲେ । ତେଣୁ ବିଭିନ୍ନ କାରଣରୁ ଏହାକୁ ନେଇ ଅନେକ ୟୁଜର୍ସ ସନ୍ଦେହ ପ୍ରକଟ କରିଥିଲେ । ପୁନମଙ୍କ ଜୀବିତ ଖବର ଶୁଣିବା ପରେ ବହୁ ସେଲିବ୍ରେଟି ଓ ୟୁଜର୍ସ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି ।

ତେବେ ପୁନମ୍ ଜୀବିତ ଥିବା ନେଇ ଭିଡିଓ ସାମ୍ନାକୁ ଆସିବା ପରେ ଏନେଇ ଅଭିନେତ୍ରୀଙ୍କୁ ଖୁବ୍ ଟ୍ରୋଲ କରାଯାଉଛି । ମୃତ୍ୟୁର ମିଛ ନାଟକ କରିଥିବାରୁ ଏହି ପ୍ରସଙ୍ଗରେ ପୁନମ୍ ସୋସିଆଲ ମିଡ଼ିଆରେ କ୍ଷମାପ୍ରାର୍ଥନା କରିଛନ୍ତି । ଗର୍ଭାଶୟ କର୍କଟକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏପରି କରିଥିବା ପୁନମ୍ କହିଛନ୍ତି । ତେବେ କୌଣସି ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଅନେକ ସକରାତ୍ମକ ଦିଗ ରହିଛି । ପୁନମ୍ ଯଦି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଛି ପଦକ୍ଷେପ ନେଇଥାନ୍ତି ତାହା ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ । ମାତ୍ର ଏଥିପାଇଁ ‘ମୃତ୍ୟୁ ଗୁଜବ ସୃଷ୍ଟି କରିବା’ର ସାହାରା ନେବା ବୋଧହୁଏ ଆଦୌ ଗ୍ରହଣୀୟ ନୁହେଁ ।

Get real time updates directly on you device, subscribe now.