ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ, ଗର୍ଭବତୀ ମହିଳାଙ୍କ ମୃତ୍ୟୁପରେ ପେଟଚିରି ଗଛମୂଳେ ଡେରିଦେଲେ

ଅନ୍ଧବିଶ୍ବାସରୁ ଅଭାବନୀୟ ଘଟଣା ।

ଭୁବନେଶ୍ବର: ଆଜି ମଧ୍ୟ ଅନେକ ସ୍ଥାନରେ ଅନ୍ଧବିଶ୍ବାସ ଦେଖାଯାଉଛି । କେନ୍ଦ୍ରାପଡ଼ାକୁ ଏକ ଅଭାନୀୟ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଲୋମ ଟାଙ୍କୁରୀ ଉଠୁଛି । ତେବେ ଅନ୍ତସତ୍ତ୍ବା ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପେଟକୁ ଚିରାଯାଇ ଭୃଣ ବାହାର କରିଦିଆଯାଇଛି ଏବଂ ଏହାପରେ ତାଙ୍କୁ ଏକ ଗଛମୂଳେ ବସାଇ ପରିବାର ଲୋକେ ଛାଡି ଚାଲିଯାଇଥିବା ଜଣାପଡ଼ିଛି ।

ଅନ୍ତସତ୍ତ୍ବାଙ୍କ ମୃତ୍ୟୁ ପରେ ପେଟ ଚିରିଦେଲେ-  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ବିଜୟନଗର ସିନ୍ଦୁରପାଟ ଗ୍ରାମରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ମୃତଦେହକୁ ପରିବାର ଲୋକେ ଛାଡି ଚାଲିଯିବା ପରେ କିଛି ସମାଜସେବୀଙ୍କ ସହାୟତାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି ।

ଗର୍ଭବତୀଙ୍କର ଥିଲା ଡାଇବେଟିସ୍- ଖବର ଅନୁସାରେ, ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ପତ୍ନୀ ପଦ୍ମିନୀ ୪ମାସର ଗର୍ଭବତୀ ଥିଲେ । ପଦ୍ମିନୀ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଗର୍ଭବତୀ ସମୟରେ ମଧୁମେହ ଅଧିକ ହେବାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ।

ଫଳରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲ । ତେବେ ସମୟ କ୍ରମେ ଅବସ୍ଥା ସାଘାଂତିକ ହେବାରୁ ହସ୍ପିଟାଲରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ରବିବାର ରାତିରେ ତାଙ୍କର ମୃତ୍ୟୁ ହେବା ପରେ ପରିବାର ଲୋକେ ମୃତଦେହ ଘରକୁ ନେଇଆସିଥିଲେ ।

ହେଲେ ଅନ୍ତିମ ସଂସ୍କାର ନକରି ଅନ୍ଧବିଶ୍ବାସର ବଶବର୍ତ୍ତି ହୋଇଥିଲେ । ମହିଳାଙ୍କ ମୃତଦେହକୁ ବିଜୟନଗର ପଞ୍ଚାୟତ ସିନ୍ଦୂରା ପାଟ ନିକଟ ନଦୀକୂଳରେ ପେଟଚିରି ଏକ ବାଉଁଶରେ ଡେରିଦେଇଥିଲେ ।

ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଖବର ପାଇ ସମାଜସେବୀ ତାଙ୍କର ମୃତଦେହକୁ ଉଦ୍ଧାର କରି ସଂସ୍କାର କରିଥିବା ଜଣାପଡ଼ିଛି ।