ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିରକ୍ଷା ସାଜସଜ୍ଜା ସମାରୋହ ଅବସରରେ ସଶସ୍ତ୍ର ବଳର ଯବାନଙ୍କୁ ସମ୍ମାନିତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ୬ ଜଣଙ୍କୁ ମରଣୋତ୍ତର ସମେତ ୧୩ ଜଣଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ ପ୍ରଦାନ କରିଛନ୍ତି । ସେଥିମଧ୍ୟରେ ୧୪ଟି ପରମ ବିଶିଷ୍ଟ ସେବା ପଦକ, ୪ଟି ଉତ୍ତମ ଯୁଦ୍ଧ ସେବା ପଦକ ଓ ୨୪ଟି ଅତି ବିଶିଷ୍ଟ ପଦକ ରହିଛି ।
ରାଷ୍ଟ୍ରପତି ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ହୋଇଥିବା ବେଳେ ଅଦମ୍ୟ ସାହସ ଓ କର୍ତ୍ତବ୍ୟ ପ୍ରତି ଅତ୍ୟଧିକ ସମର୍ପିତ ଥିବା ବ୍ୟକ୍ତିମାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି । ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେଙ୍କୁ ପରମ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି । ଗତ ମାସ ୩୦ ତାରିଖରେ ଶ୍ରୀ ପାଣ୍ଡେ ୩୦ତମ ସ୍ଥଳ ସେନାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।
ରାଷ୍ଟ୍ରପତି ୬ ଜଣ ଯବାନଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ମାଡ୍ରାସ ରେଜିମେଣ୍ଟର ୧୮ତମ ବାଟାଲିୟନର କ୍ୟାପ୍ଟେନ ଆଶୁତୋଷ କୁମାର, ରାଜପୁର ରେଜିମେଣ୍ଟର ହାବିଲଦାର ଅନିଲ କୁମାର ତୋମର, ଜାଠ ରେଜିମେଣ୍ଟର ହାବିଲଦାର ପିଙ୍କୁ କୁମାର, ଇଞ୍ଜିନିୟର୍ସ କୋର ହାବିଲଦାର କାଶୀରାୟ ବମ୍ମନଲ୍ଲୀ, ମାଡ୍ରାସ ରେଜିମେଣ୍ଟର ୧୭ତମ ବାଟାଲିୟନର ନାୟବ ସୁବେଦାର ଶ୍ରୀଜୀତ ଓ ମାଡ୍ରାସ ରେଜିମେଣ୍ଟର ୧୭ତମ ବାଟାଲିୟନର ସିପାହୀ ଏମ. ଜସୱନ୍ତ କୁମାର ରେଡ୍ଡୀ ପ୍ରମୁଖ । ଅଶୋକ ଚକ୍ର ଓ କୀର୍ତ୍ତି ଚକ୍ର ପରେ ଶୌର୍ଯ୍ୟ ଚକ୍ର ହେଉଛି ଭାରତର ତୃତୀୟ ସର୍ବବୃହତ ବୀରତା ପୁରସ୍କାର । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ଶୀର୍ଷ ଅଧିକାରୀଗଣ ସାମିଲ୍ ଥିଲେ ।