ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନ । ଆଜି ନିଜ ଜନ୍ମମାଟି ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ମହାମହିମ । ନିଜ ଜିଲ୍ଲାରେ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ତେବେ ଜନ୍ମମାଟିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ତେବେ ମାଡାମଙ୍କ ପାଇଁ ଝୁମୁଛି ରାଇରଙ୍ଗପୁର ଉପରବେଢା ଗ୍ରାମ । ଆଦିବାସୀ ନୃତ୍ୟର ତାଳେତାଳେ ମାଡାମ୍ ପ୍ରେସିଡଣ୍ଟକୁ ସ୍ବାଗତ କରାଯାଇଥିଲା ।
ଜନ୍ମମାଟିରେ ପହଞ୍ଚିବା ପରେ ମାଡାମ ପ୍ରେସିଡେଣ୍ଟଙ୍କ ମୁହଁରେ ହସ ଦେଖାଯାଇଥିଲା । ପ୍ରଥମେ ସେ ରାଇରଙ୍ଗପୁର ଉପରବେଡା ଉପ୍ରା ବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରାଯାଇଥିଲା । ଅଭିଭାଷଣ ଦେବା ସମୟରେ ପିଲାଙ୍କୁ ମନଦେଇ ପାଠ ପଢିବା ପାଇଁ କହିଥିଲେ । ରାଷ୍ଚ୍ରପତି କହିଥିଲେ, “ ସମସ୍ତେ ମନ ଦେଇ ପାଠ ପଢନ୍ତୁ । ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ । ସମାଜରେ ବଡ ହେବାକୁ ହେଲେ, ନାଁକୁ ବଢାଇବାକୁ ପଡେ । ଏବେ ପାଠପଢା ପାଇଁ ଲୋକଙ୍କୁ ଆଉ ଅସୁବିଧା ହେଉ ନାହିଁ । ଅନେକ ପ୍ରକାର ସୁବିଧା, ସହଯୋଗ ମିଳୁଛି । ଏକତ୍ରିତ ହୋଇ ରହିଲେ ସବୁ ସମସ୍ୟାର ସମାଧାନ ମିଳେ । ଯଦି ସ୍କୁଲକୁ ଛାତ୍ରଛାତ୍ରୀ ଆସୁନାହାନ୍ତି, ତାହେଲେ ଶିକ୍ଷକ ଯାଇ ଅସୁବିଧା କଥା ବୁଝନ୍ତୁ ।”
ଏହାପରେ ଆଜି ପୁର୍ଣେଶ୍ବର ମହାଦେବ ମନ୍ଦିର ପରିଦର୍ଶନ କରିବେ ମହାମହିମ । ସେଠାରେ ନୂତନ ଭାବେ ସ୍ଥାପିତ ଗଣେଶ ମୂର୍ତ୍ତି ଉନ୍ମୋଚନ କରିବେ । ମହାଦେବଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଲାଭ କରିବେ ମହାମହିମ । ରାଷ୍ଟ୍ରପତି ହେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ନିୟମିତ ପୁର୍ଣେଶ୍ବର ମହାଦେବ ମନ୍ଦିର ଯାଇ ମହାଦେବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି । ଭଗବାନଙ୍କ ନିକଟରେ ତାଙ୍କର ଅତୁଟ ବିଶ୍ବାସ ରହିଛି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥାଇ ମଧ୍ୟ ଆଜିବି ସେସବୁକୁ ଭୁଲି ନାହାନ୍ତି କିମ୍ବା ଠାକୁରଙ୍କ ସେବା କରିବାକୁ ପଛଘୁଞ୍ଚା ଦେଉନଖିବା ଦେଖାଯାଇଛି ।