fbpx

Video: ରାଷ୍ଟ୍ରପତିଙ୍କୁ ନାଗରିକ ସଂବର୍ଦ୍ଧନା: ଓଡ଼ିଶା ମାଟି ପାଇଁ ମୋହ ବର୍ଷା କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କୁ ରାଜଭବନରେ ନାଗରିକ ସଂବର୍ଦ୍ଧନା ଦିଆଯାଇଛି । ନାଗରିକ ସଂବର୍ଦ୍ଧନା ଗ୍ରହଣ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ଅଭିଭାଷଣ ପ୍ରଦାନ କରିଥିଲେ । ରାଷ୍ଟ୍ରପତି ହେବା ପରେ ଓଡ଼ିଶା ପ୍ରଥମ ଥର ପାଇଁ ଫେରିଥିବା ତାଙ୍କର ଭାଷଣରେ ନିଜର ମାଟି ପାଇଁ ମୋହ ବର୍ଷା କରିଛନ୍ତି । ସେ କହିଥିଲେ ଯେ, ‘ନିଜ ମାଟିର ମୋହରେ ଭିନ୍ନତା ଅଛି, ନିଜ ମାଟିର ଆକର୍ଶଣ ନିଆରା । ନିଜ ମାଟି ଓଡ଼ିଶାକୁ ଆସି ମୁଁ ଆଜି ବହୁତ ଆନନ୍ଦିତ ।’

ଦ୍ରୌପତି ମୁର୍ମୁ ତାଙ୍କର ଅଭିଭାଷଣରେ କହିଥିଲେ, ‘ରାଷ୍ଟ୍ରପତି ହେବା ପରେ ନିଜ ମାଟିକୁ ଏହା ମୋର ପ୍ରଥମ ଆଗମନ । ଏହି ଅବସରରେ ଆପଣମାନଙ୍କ ହାର୍ଦ୍ଦିକ ଅଭିନନ୍ଦନ, ସ୍ନେହ ଓ ଶ୍ରଦ୍ଧା ମୋତେ ଅଭିଭୂତ କରିଛି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି । ଆଜି ସକାଳେ ପୁରୀ ଯାଇ ମୁଁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଫେରିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ କେବଳ ଓଡ଼ିଆମାନଙ୍କ ପ୍ରାଣର ଠାକୁର ନୁହଁନ୍ତି, ସେ ମଧ୍ୟ ଜଗତର ନାଥ । ଓଡ଼ିଶାବାସୀଙ୍କ ପାଇଁ, ଭାରତବାସୀଙ୍କ ପାଇଁ ଏବଂ ସର୍ବୋପରି ବିଶ୍ଵବାସୀଙ୍କ ମଙ୍ଗଳ ପାଇଁ ମୁଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛି । ଓଡ଼ିଶାର ଭବିଷ୍ୟତ ବିଷୟରେ ଆପଣମାନଙ୍କ ମନରେ କିଛି ନା କିଛି ସ୍ଵପ୍ନ ନିଶ୍ଚୟ ଥିବ । ଆପଣମାନେ କିପରି ଏକ ଓଡ଼ିଶାର ଚିତ୍ର ଦେଖିବାକୁ ଚାହୁଁଛନ୍ତି, ସେ ବିଷୟରେ ନିଶ୍ଚୟ କେବେ କେମିତି ଭାବୁଥିବେ ।

ଏ ମାଟିର ଝିଅ ଭାବରେ ଓଡ଼ିଶା ବିଷୟରେ ମୁଁ ବି ଅନେକ ସ୍ଵପ୍ନ ଦେଖେ । ରାଜ୍ୟଗୁଡ଼ିକର ବିକାଶରେ ହିଁ ସମଗ୍ର ଭାରତର ବିକାଶ ନିହିତ । ସମୃଦ୍ଧ ଭାରତକୁ ସୁସମୃଦ୍ଧ କରିବାର ଅଭିଯାନ ଓଡ଼ିଶାରୁ ଆରମ୍ଭ ହେଉ , ଏହା ମୋର ଆନ୍ତରିକ ଇଛା। ପୁରୀ ଏସଆଇ ସର୍କଲ ଅଫିସ ଆବଶ୍ୟକ ଥିବା ମୋର ହୃଦବୋଧ ହୋଇଥିଲା । ଏନେଇ ସସ୍କୃତି ମନ୍ତ୍ରୀଙ୍କ ସହ ମୋର ଆଲୋଚନା ହୋଇଥିଲା । ତେବେ ପୁରୀରେ ଏଏସଆଇ ସର୍କଲ ଅଫିସ୍ ଖୋଲିଥିବାର ମନ୍ତ୍ରୀଙ୍କୁ ସେ ସାଧୁବାଦ୍ ଜଣାଇଥିଲେ । ‘ ଏହି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍‌. ମୁରଲୀଧର ମଧ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.