ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଜନ୍ମମାଟି ପାଇଁ ଗୁଣ୍ଡୁଚି ମୂଷା ପରି ଲଢିବି କହିଲେ ରାଷ୍ଟ୍ରପତି
ଭୁବନେଶ୍ବର: ମୟୂରଭଞ୍ଜକୁ 3 ରେଳ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ବାଙ୍ଗିରିପୋଷିରେ 3 ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ନ୍ୟୁ ଜାମଶୋଳା ପ୍ରକଳ୍ପ, ବାଦାମପାହାଡ-କେନ୍ଦୁଝରଗଡ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଯାହା ଖଣିବହୁଳ ଅନୁନ୍ନତ ଅଞ୍ଚଳରେ ଶିଳ୍ପ, ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ ବୋଲି ଆଶା କରାଯାଉଛି ।
ବାଙ୍ଗିରିପୋଷିରେ ରେଳ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଏହି 3ଟି ରେଳ ପ୍ରକଳ୍ପ ଧାର୍ଯ୍ୟ ସମୟରେ ଶେଷ ହେବା ନେଇ ଆଶାୟୀ । ଏହା ଦ୍ବାରା ବାଙ୍ଗିରିପୋଷି, ରାଇରଙ୍ଗପୁର ସମେତ ମୟୁରଭଞ୍ଜରେ ଜାତାୟତ ସମୃଦ୍ଧ ହେବ । କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ପରିକଳ୍ପନାର ସୁଫଳ ଓଡିଶାକୁ ମିଳୁଛି । ଜନଜାତିର ସୁବିଧା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆଣୁଛନ୍ତି । 90ରୁ ଅଧିକ ବନଜାତ ଦ୍ରବ୍ୟ ପାଇଁ ଏମଏସପି ବ୍ୟବସ୍ଥା ହୋଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଜନଜାତି ଫାଇଦା ପାଉଛନ୍ତି । ଏଇ ମାଟିର ଝିଅ ଭାବେ ନିଜକୁ ଗୌରବାନ୍ବିତ ମନେ କରୁଛି । ଆପଣମାନଙ୍କ ଆଶୀର୍ବାଦ ପାଇଁ ମୁଁ ଏଠାରେ ପହଞ୍ଚି ପାରିଛି । ଏଠାକାର ଗଳିକନ୍ଦିକୁ ଚିହ୍ନିଛି ଏବଂ ଗୁଣ୍ଡୁଚି ମୂଷା ଭାବେ କାର୍ଯ୍ୟ କରି ଚାଲିଛି । ଯେଉଁଠି ରହିଥିଲେ ବି ଏହି ଅଞ୍ଚଳର ବିକାଶ କାର୍ଯ୍ୟ କରି ଚାଲିବି ବୋଲି କହିଛନ୍ତି ରାଷ୍ଟ୍ରପତି । ପ୍ରକାଶଥାଉକି, 5 ଦିନିଆ ଓଡିଶା ଗସ୍ତରେ ରହିଥିବା ରାଷ୍ଟ୍ରପତି ଶୁକ୍ରବାର ନିଜ ଜନ୍ମମାଟିକୁ ଯାଇଛନ୍ତି ।