fbpx

ରାଷ୍ଟ୍ରପତି ନିର୍ବାଚନ: ପଶ୍ଚିମବଙ୍ଗ ବିଜେପି ସଂଗଠନରେ ଫାଟ, ବିଜେପି ବିଧାୟକ କରିପାରନ୍ତି କ୍ରସ୍‌ ଭୋଟିଂ

କୋଲକାତା: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ବିଜେପିକୁ ଘାରିଛି ଅନ୍ତଃକନ୍ଦଳ ଚିନ୍ତା । ଗତ କିଛିଦିନ ତଳେ ଦଳର ବରିଷ୍ଠ ତଥା ପ୍ରଭାବଶାଳୀ ନେତା ଅର୍ଜୁନ୍‌ ସିଂ ବିଜେପିକୁ ବାଏ ବାଏ କରିସାରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ବିଜେପି ବିଧାୟକଙ୍କ କ୍ରସ୍‌ ଭୋଟିଂର ଭୟ ଏବେ ଦଳର ହାଇକମାଣ୍ଡଙ୍କୁ ଅଧିକ ବିବ୍ରତ କରିଛି । ବିଜେପିର କିଛି ବିଧାୟକ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ମମତା ବାନାର୍ଜୀଙ୍କ ସମର୍ଥନ ପ୍ରାର୍ଥୀଙ୍କୁ ଭୋଟ୍‌ କରିାରନ୍ତି ବୋଲି ଆଶଙ୍କା କରାଯାଉଛି । ୨୦୨୧ ଜୁନ୍‌ରୁ ଏ ପର୍ଯ୍ୟନ୍ତ ଅର୍ଥାତ ଗତ ୧୧ ମାସରେ ୭ଜଣ ବିଧାୟକ ବିଜେପି ଛାଡ଼ିସାରିଛନ୍ତି । ଏମାନଙ୍କ ମଧ୍ୟରେ ମୁକୁଲ ରୟ, ବିଶ୍ୱଜିତ୍‌ ଦାସଙ୍କ ଭଳି ବିଶିଷ୍ଟ ନେତା ସାମିଲ ଅଛନ୍ତି । ଏହାବ୍ୟତୀତ ୨ ସାଂସଦ ଯଥା ବାବୁଲ ସୁପ୍ରିୟୋ ଏବଂ ଅର୍ଜୁନ୍‌ ସିଂ ବି ବିଜେପିକୁ ଅଲ୍‌ବିଦା କରିସାରିଛନ୍ତି ।

ଆଗାମୀ ଦିନରେ ଅର୍ଜୁନ୍‌ ସିଂଙ୍କ ପୁଅ ପବନ ସିଂ ବିଜେପି ଛାଡ଼ି ଟିଏମ୍‌ସିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ସେହିପରି ବିଜେପିର ଆଉ କିଛି ଅସନ୍ତୁଷ୍ଟ ବିଧାୟକ ବି ଟିଏମ୍‌ସିରେ ସାମିଲ ହେବା ଅପେକ୍ଷାରେ ରହିଛନ୍ତି । ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏ ନେଇ ଲଗାତାର ଦଳର ହାଇକମାଣ୍ଡଙ୍କ କାର୍ଯ୍ୟଧାରା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ଶୁକ୍ରବାର ଏକ ସାକ୍ଷାତକାରରେ ଦଳର ହାଇକମାଣ୍ଡଙ୍କୁ ପରୋକ୍ଷରେ ଇଙ୍ଗିତ କରି ଦିଲ୍ଲୀପ ଘୋଷ କହିଥିଲେ କି ଯଦି ପଶ୍ଚିମବଙ୍ଗକୁ ଧ୍ୟାନ ନଦେଇ ଦିଲ୍ଲରୁ ଦଳ ପରିଚାଳିତ ହୁଏ ତେବେ ଦଳ ବରବାଦ୍‌ ହେବା ସ୍ୱାଭାବିକ । ସେ ଆହୁରି କହିଥିଲେ ଯେ ଯେ ପର୍ଯ୍ୟନ୍ତ କଂଗ୍ରେସ ପଶ୍ଚିମବଙ୍ଗରୁ ପରିଚାଳିତ ହେଉଥିଲା ସେ ପର୍ଯ୍ୟନ୍ତ ଦଳ ତିଷ୍ଠି ରହିଥିଲା । ଯେବେଠୁ ଦଳ ଦିଲ୍ଲୀରୁ ପରିଚାଳିତ ହେବା ଆରମ୍ଭ କଲା ତା’ ପରଠାରୁ କଂଗ୍ରେସର ଅବସ୍ଥା ରାଜ୍ୟରେ ଶୋଚନୀୟ ହୋଇପଡ଼ିଲା । ପଶ୍ଚିମବଙ୍ଗରେ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ ବିଜେପି ଲଗାତାର ପ୍ରୟାସ ଜାରି ରଖିଛି । ଜୁନ୍‌ ୬ ଏବଂ ୭ ତାରିଖରେ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅମିତ୍‌ ଶାହା ଗତ କିଛିଦିନ ତଳେ ରାଜ୍ୟର ବିଜେପି ନେତାଙ୍କ ସହ ଆଲୋଚନା କରିଥିଲେ । ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବି ତୃଣମୂଳ କଂଗ୍ରେସର କିଛି ବିଧାୟକ କ୍ରସ୍‌ ଭୋଟିଂ କରି ରାମନାଥ କୋବିନ୍ଦଙ୍କୁ ଭୋଟ୍‌ ଦେଇଥିଲେ । ଏବେ ସେହି ଡର ବିଜେପିକୁ ଅଧିକ ଘାରିଛି ।

Get real time updates directly on you device, subscribe now.