ରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା, ସାଥିରେ ଥିଲେ ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପରେ ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଯଶୱନ୍ତ ସିହ୍ନା । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ସେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସପାର ଅଧ୍ୟକ୍ଷ ଅଖିଳେଶ ଯାଦବ, ଏନସିପିର ମୁଖ୍ୟ ଶରଦ ପାୱାର, ମଲ୍ଲିକାର୍ଜୁନ ଖାରଗେ ସମେତ ଅନ୍ୟ ବିରୋଧୀ ନେତା ଉପସ୍ଥିତ ଥିଲେ । ରାଷ୍ଟ୍ରପତି ପଦ ପାଇଁ ଯଶୱନ୍ତ ସିହ୍ନାଙ୍କ ସହ ସାମ୍ନାସାମ୍ନି ହେବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

ଏକ ଡଜନରୁ ଅଧିକ ବିରୋଧୀ ଦଳ ମିଶି ମଙ୍ଗଳବାର ଦିନ ଯଶୱନ୍ତ ସିହ୍ନାଙ୍କୁ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଥିଲେ । ସେହି ଦିନ ବିଜେପି ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତେବେ ରାଷ୍ଟ୍ରପତି ନିର୍ବାଚନ ୧୮ ଜୁଲାଇରେ ଅନୁଷ୍ଠିତ ହେବ ।

ତେବେ ନାମାଙ୍କନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂ ଏବଂ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ସମର୍ଥନ ମାଗିଥିଲେ ଯଶୱନ୍ତ ସିହ୍ନା । ୮୪ ବର୍ଷୀୟ ସିହ୍ନା ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଅର୍ଥ ଏବଂ ବୈଦେଶିକ ମନ୍ତ୍ରୀ ଥିଲେ ।